କ୍ରାଇମ

ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ: ଯୁବକଙ୍କୁ ପଥରରେ ଛେଚି ମାରିଲେ

କୁଆରମୁଣ୍ଡା ଥାନା ଅନ୍ତର୍ଗତ ପୁଟୁରିଖମଣ ଡୁଙ୍ଗାପାଣି ଗାଁ ନିକଟସ୍ଥ ପୋଲ ତଳୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ତାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ହାତୀବାରି ଥାନା ଅନ୍ତର୍ଗତ କୁସୁମଟୋଲିର ବସନ୍ତ ବଡ଼ାଇକ (୪୦)। ବୀରମିତ୍ରପୁର ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କକାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

କକା କୃଷ୍ଣଚନ୍ଦ୍ର ବଡାଇକଙ୍କ ଲିଖିତ ଏତଲା ଅନୁଯାୟୀ ତାଙ୍କ ପୁତୁରା ବସନ୍ତ ବଡାଇକ ଏକ ନୂଆ କାର୍‌ (ଓଡି୧୪ଏଏଫ୍‌ ୩୪୪୬) କିଣିଥିଲେ। ସୋମବାର ସକାଳ ୭ଟାରେ ଡ୍ରାଇଭର ଚିତ୍ତରଞ୍ଜନ ସିଂଙ୍କ ସହ କାର୍‌ ନେଇ ରାଉରକେଲା ଆସିଥିଲେ। ରାଉରକେଲାରେ ବସନ୍ତ ଓ ଚିତ୍ତ ଟିମ୍ବର କଲୋନିର ଚୁଙ୍ଗା’ ଘରେ ପହଞ୍ଚିଥିଲା। ସେଠାରୁ ବସନ୍ତ, ଚିତ୍ତ ଓ ଚୁଙ୍ଗା ଜଣେ ସମ୍ପର୍କୀୟ ଯୁବତୀଙ୍କୁ ଧରି ଘୋଘର ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରି ସଂଧ୍ୟା ୫ଟାରେ ବସନ୍ତ, ଚୁଙ୍ଗା, ଡ୍ରାଇଭର ଚିତ୍ତରଞ୍ଜନ ଏବଂ ରାମ ସାହୁ ନାମକ ବ୍ୟକ୍ତି ନୟାବଜାରର ଏକ ଦୋକାନରେ ବସିଥିଲେ। ପରେ ରାମ ସାହୁ ରାଉରକେଲାରୁ ନିଜ ସ୍କର୍ପିଓରେ ତାଙ୍କର କିଛି ସାଙ୍ଗଙ୍କ ସହ ପୁଟୁରିଖମଣ ଅଭିମୁଖେ ବାହାରିଥିଲେ। ପଛରେ ବସନ୍ତ ଓ ତାଙ୍କ ଡ୍ରାଇଭର ରାଉରକେଲାରୁ ବାହାରିଥିଲେ। ଡୁଙ୍ଗାପାଣି ଗ୍ରାମପୋଲ ନିକଟରେ ରାମ ସାହୁ ଓ ତା’ର ସହଯୋଗୀଙ୍କ ସହ ବସନ୍ତର କୌଣସି କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ରାମ ସାହୁ ଓ ଅନ୍ୟମାନେ ଧମକଚମକ ଦେଇ ସେଠାରୁ ବସନ୍ତର କାର୍‌ ଡ୍ରାଇଭର ଚିତ୍ତରଞ୍ଜନଙ୍କୁ ତଡ଼ିଦେଇଥିଲେ। ଏହାପରେ ବସନ୍ତକୁ ପଥରରେ ଛେଚି ହତ୍ୟା କରାଯାଇଛି। ହେଲେ କେଉଁମାନେ ବସନ୍ତଙ୍କୁ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନି। ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କକା ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button