ଓଡିଶା

ଲୋକାରଣ୍ୟ ମଧ୍ୟରେ ଧବଳେଶ୍ୱର ପୀଠରେ ବିଶ୍ୱଶାନ୍ତି ନବକୁଣ୍ଡୀୟ ରୁଦ୍ର ମହାଯଜ୍ଞ ସମ୍ପନ୍ନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିରରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ନବକୁଣ୍ଡୀୟ ରୁଦ୍ର ମହାଯଜ୍ଞରେ ବୁଧବାର ପୂର୍ଣ୍ଣାହୁତି ଦିଆଯାଇଛି। ଦେଶ, ରାଜ୍ୟ ତଥା ସମାଜର ମଙ୍ଗଳ କାମନା କରି ଆୟୋଜକଙ୍କ ଦ୍ବାରା କରାଯାଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟହ ଲୋକାରଣ୍ୟ ହୋଇ ଉଠୁଥିଲା ମନ୍ଦିର ପରିସର। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ଭକ୍ତ ଯଜ୍ଞସ୍ଥଳକୁ ଛୁଟି ଆସୁଥିଲେ। ଯଜ୍ଞର ପବିତ୍ର ଓ ଆଧ୍ୟାତ୍ମିକ ପରିବେଶରେ ପ୍ରଫୁଲ୍ଲିତ ହୋଇ ଉଠୁଥିଲା ଶ୍ରଦ୍ଧାଳୁଙ୍କ ତନ, ମନ ଓ ଜୀବନ। ସଂହାରକର୍ତ୍ତା ଦେବ ଦେବ ମହାଦେବଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ସାଙ୍ଗକୁ ଧବଳେଶ୍ୱର ପୀଠ ଓ ନିକଟସ୍ଥ ବଙ୍ଗୋପସାଗରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କାହିଁ କେଉଁ ଆଡୁ ଛୁଟି ଆସୁଥିଲେ ଭକ୍ତ। ବିଶେଷକରି ଦୈନିକ ୨୫ରୁ ୩୫ ହଜାର ଭକ୍ତଙ୍କ ସମାଗମ ହେଉଥିଲେ ହେଁ ସୁନ୍ଦର ଆୟୋଜନ, ବିଭିନ୍ନ ଉତ୍ତମ ବ୍ୟବସ୍ଥା ଏବଂ ସୁପରିଚାଳନା ଭକ୍ତଙ୍କୁ ସନ୍ତୁଷ୍ଟ କରିବା ସହ ପୁଣି ଥରେ ଯଜ୍ଞସ୍ଥଳକୁ ଆସିବାକୁ ଆକୃଷ୍ଟ କରୁଥିଲା।

ମୁଖ୍ୟ ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ବହୁ ପଣ୍ଡିତଙ୍କ ଉପସ୍ଥିତିରେ କର୍ତ୍ତା ଭାବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ, ପତ୍ନୀ ବିଷ୍ଣୁପ୍ରିୟା, ଲୋକନାଥ ସାହୁ, ପତ୍ନୀ ଲକ୍ଷ୍ମୀ ଦେବୀ ରୀତିନୀତି ଅନୁସାରେ ଯାବତୀୟ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପଦା ତିଥିରେ ଯଜ୍ଞର ପୂର୍ଣ୍ଣାହୁତି ଅବସରରେ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ଆଗନ୍ତୁକମାନେ ମାନସିକ ପୂରଣ ପାଇଁ ପ୍ରଭୁ ଧବଳେଶ୍ୱରଙ୍କ ଠାରେ ପୂଜା କରିଥିଲେ। ସେମାନେ ଯଜ୍ଞ ଆୟୋଜନର ସୁବ୍ୟବସ୍ଥା ଦେଖି ଓ ଅନୁଭବ କରି ତୃପ୍ତ ମନରେ ଫେରୁଥିଲେ। ନାଁ ଧନୀ ଗରିବ ବିଭେଦ ନା ଉଚ୍ଚ ନୀଚ୍ଚ ଜାତିର ଫରକ, ନାଁ ମହିଳା ପୁରୁଷ କିମ୍ବା ପିଲା ବୁଢ଼ା ବାଛବିଚାର, ଏସବୁରୁ ଊର୍ଦ୍ଧ୍ବରେ ରହି ଯଜ୍ଞ ସ୍ଥଳରେ ଭକ୍ତି ଭାବନାରେ ବନ୍ଧା ଦୈନିକ ପ୍ରାୟ ୨୫ରୁ ୩୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା।

ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୋପାଳପୁର ଥାନା ପୋଲିସ ନିୟୋଜିତ ହୋଇଥିଲେ। ପାନୀୟ ଜଳରୁ ଆରମ୍ଭ କରି ଧାଡ଼ିରେ ଠାକୁରଙ୍କ ଉତ୍ତମ ଦର୍ଶନ, ପ୍ରସାଦ ସେବନରୁ ଆରମ୍ଭ କରି ଯଜ୍ଞସ୍ଥଳରେ ପୂଜନ ଆଦି ସବୁକିଛି ବ୍ୟବସ୍ଥିତ ରୂପେ ସୁପରିଚାଳିତ ହୋଇଥିଲା। ଯଜ୍ଞଶାଳାକୁ ଫୁଲରେ ସଜ୍ଜିତ କରାଯିବା ସହ ଭକ୍ତଙ୍କ ପାଇଁ ପାନୀୟ ଜଳ, ରହିବା, ଅନ୍ନ ପ୍ରସାଦ ସେବନ ଆଦି ସୁବିଧା କରାଯାଇଥିଲା।

ବିଶ୍ୱଶାନ୍ତି ନବକୁଣ୍ଡୀୟ ରୁଦ୍ର ମହାଯଜ୍ଞ ଆରମ୍ଭ ଦିନ ମୁଖ୍ୟ ୧୦ କଳସ ସହ ପ୍ରାୟ ଅଢେଇ ହଜାରରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ନୂତନ ବସ୍ତ୍ର ପିନ୍ଧି ସମୁଦ୍ରରୁ କଳସରେ ଜଳ ଧରି ନଗର ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ। ଏହି ଅବସରରେ ୪ଟି ବେଦ ସ୍ଥଳ ଶ୍ୟାମ ବେଦ, ରୁଗ୍ ବେଦ, ଯଜୁଃ ବେଦ, ଅଥର୍ବ ବେଦ ଏବଂ ଚାରି ଧାମ ଜଗନ୍ନାଥ, ଦ୍ୱାରିକା, ରାମେଶ୍ୱର ଓ ବଦ୍ରିନାଥ ଧାମ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୮୦ ଜଣ ପଣ୍ଡିତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ବେଦ ପାଠ ପାଇଁ ହାଇଦ୍ରାବାଦ, ମଧ୍ୟପ୍ରଦେଶ, ବାରଣାସୀ ଓ ତିରୁପତିରୁ ବିଦ୍ୱାନ ପଣ୍ଡିତମାନେ ଆମନ୍ତ୍ରିତ ହୋଇଥିଲେ।

ଡ. ଗୋପବନ୍ଧୁ ଦାଶଙ୍କ ଅନୁରୋଧ କ୍ରମେ ମନ୍ଦିର କମିଟି କର୍ମକର୍ତ୍ତା ଓ ବିଭିନ୍ନ ଗ୍ରାମର କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। କମିଟି ସଭାପତି ଲୋକନାଥ ସାହୁ, ଉପସଭାପତି ଟି.ରାମଚନ୍ଦ୍ର ରାଓ, ସମ୍ପାଦକ ବି.ଲକ୍ଷ୍ମୀନାରାୟଣ, କୋଷାଧ୍ୟକ୍ଷ ଏ.ପୁରୁଷୋତ୍ତମ, ସଦସ୍ୟ ବୃନ୍ଦ ତଥା ପର୍ଶୁରାମ ସାହୁ, କେ.ରାମେୟା, ଭି.ଗୁରୁମୂର୍ତ୍ତି, ବି.ରାମମୂର୍ତ୍ତି, ଆର୍.ୟୋଗେଶ୍ବର ରାଓ, ସିଏଚ୍ ଭୂଇଁ ଦାସ, କାହ୍ନୁ ମହାରଣାଙ୍କ ସହିତ ସରପଞ୍ଚ ବି.ମାଧବ ରାଓ, ଏନ୍.ତେଜେଶ୍ବର ରାଓ, ସୁକାନ୍ତ ସାହୁ, ଏମ୍.ସୁନ୍ଦର ରାଓ, ୟୁ.ଦିଲେଶ, ଭି.ଦିଲେଶ, ଟି.ଭାସ୍କର ରାଓ, ବଲ୍ଲଭ ରାଓ, ପି.କ୍ରିଷ୍ନା ରାଓ, ସାଈ ସେବା ସମିତି, ଦିବ୍ୟ ଜୀବନ ସଂଘ ସଦସ୍ୟମାନେ ଯଜ୍ଞ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଦୀର୍ଘ ଦିନର ଅଞ୍ଚଳବାସୀ ଓ ମନ୍ଦିର କମିଟି ପକ୍ଷରୁ ମହାଯଜ୍ଞ କରିବାକୁ ସଂକଳ୍ପ ରହିଥିଲା ତାହା ଏବେ ଡ. ଗୋପବନ୍ଧୁ ଦାଶଙ୍କ ସହଯୋଗରେ ସମସ୍ତ ରୀତିନୀତି ସହ ସମ୍ପନ୍ନ ହୋଇପାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button