ଦେଶ ବିଦେଶ
ଲଦାଖରେ ଖାଇକୁ ଖସିପଡ଼ିଲା ସେନା ଟ୍ରକ୍ ୯ ଯବାନ ସହିଦ – Utkal Mail
ନୂଆଦିଲ୍ଲୀ: ଲଦାଖରେ ଆଜି ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣା ହୋଇଛି। ଏକ ଗଭୀର ଖାଇକୁ ସେନାର ଏକ ଗାଡ଼ି ଖସିପଡ଼ିବା ଫଳରେ ଜଣେ ଜେସିଓ ଏବଂ ୮ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଲେହଠାରୁ ୧୫୦ କିମି ଦୂର କ୍ୟାରୀ ସହର ନିକଟରେ ଆଜି ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ଲେହ ପ୍ରତିରକ୍ଷା ପିଆର୍ଓ ଲେପ୍ଟନାଣ୍ଟ କର୍ନେଲ ପିଏସ ସିଧୁ ସ୍ପଷ୍ଟ କରିଛନ୍ତି। ସେନାର ଆଜି ଏକ ଗାଡ଼ିମାଳା କାରୁ ଗାରିସନ୍ରୁ ଲେହର କ୍ୟାରୀକୁ ଯାଉଥିବାବେଳେ ଏହି ଦୁର୍ଘଟଣା ହୋଇଛି।
ଏହି ଗାଡ଼ିମାଳାରେ ୩ଟି ଗାଡ଼ି ଥିଲା। ଗୋଟିଏ ମାରୁତି ଜିପ୍ସି, ଟ୍ରକ୍ ଏବଂ ଏକ ଆମ୍ବୁଲାନ୍ସ। ୩ଟି ଗାଡ଼ିରେ ୩ ଜଣ ଅଫିସର, ୨ ଜଣ ଜେସିଓ ଏବଂ ୩୪ ଜଣ ଯବାନ ଥିଲେ। ତେବେ ମିଳିଥିବା ସୂଚନାନୁଯାୟୀ ୧୦ ଜଣ ଯବାନ ଥିବା ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୭ ଯବାନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କର ପରେ ମୃତ୍ୟୁ ହୋଇଥିଲା। ସହିଦ ଯବାନମାନେ ଏକ ଆର୍ଟିଲେରି ୟୁନିଟ୍ର ବୋଲି ଜଣାପଡ଼ିଛି।