ଓଡିଶା

ଛାନିଆ କଲାଣି ବାତ୍ୟା “ଦାନା’: ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର, ଭୁଆଁ ବୁଲାଉଛନ୍ତି ଦୋକାନୀ

ସ୍ତରଙ୍ଗ/ଗୋପ,୨୨/୧୦: ସମ୍ଭାବ୍ୟ ବାତ୍ୟା “ଦାନା’କୁ ନେଇ ଲୋକ ଛାନିଆ ହୋଇ ପଡ଼ିଛନ୍ତି । ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କରିବା ଆରମ୍ଭ କରି ଦେଲେଣି । ହଠାତ୍ ସବୁ ଦରଦାମ୍ ବଢ଼ାଇ ଦେଇଛନ୍ତି । ଅସ୍ତରଙ୍ଗ ଅଞ୍ଚଳର କେତେକ ସ୍ଥାନରେ ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

କେଜି ପ୍ରତି ପାଖାପାଖି ୧୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ପିଆଜ କିଲୋ ୬୦ଟଙ୍କା ଥିବାବେଳେ ତାହା ଏବେ ୬୫ରୁ ୭୦ଟଙ୍କାରେ ବିକ୍ରି ହେଉଛି । ଏ ବାବଦରେ ପଚାରିଲେ ବ୍ୟବସାୟୀମାନେ ଅଜବ ଉତ୍ତର ଦେଉଛନ୍ତି । କହୁଛନ୍ତି, ବାତ୍ୟା ଆସୁଛି, ଆଳୁ ଗାଡ଼ି ଆସି ନପାରେ । ଯେତିକି ଅଛି ସେତିକିରେ ବେପାର କରୁଛୁ । ହଠାତ୍ ଦରଦାମ୍ ବୃଦ୍ଧି ହେବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସବୁଦିନ ଭଳି ଶନିବାର ଅସ୍ତରଙ୍ଗ ବଜାରକୁ ମଣ୍ଡିରୁ ଆଳୁ, ପିଆଜ ଗାଡ଼ି ଆସିଥିବା ଜଣାପଡ଼ିଛି । ଏହାସତ୍ତେ୍ୱ ବାତ୍ୟା ଆଳରେ କଳାବଜାର କରୁଛନ୍ତି ଅସାଧୁ ବ୍ୟବସାୟୀ । ରାଜ୍ୟ ସରକାର ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ଅମୀୟ ରଞ୍ଜନ ବାରିକି ଦାବି କରିଛନ୍ତି ।

କେବଳ ସେତିକି ନୁହେଁ, ବାତ୍ୟା ଭୟରେ ସୋମବାର ଅସ୍ତରଙ୍ଗ ବଜାର ସହ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ହୋଇଥିଲା । ଏଥିଯୋଗୁଁ ଦୋକାନୀମାନେ ସବୁଥିରେ ଦର ବୃଦ୍ଧି କରିଥିବା କୁହାଯାଉଛି ।

ସେପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ହେକ୍ଟର ହେକ୍ଟର ଜମିରେ ହୋଇଥିବା ଚାଷ ଉଜୁଡ଼ିବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଏବେ ଧାନ ଗଛରେ କେଣ୍ଡା ବାହାରୁ ଥିବାବେଳେ ଶୀତ ଦିନିଆ ପନିପରିବା ଅମଳ ହେବାକୁ ବସିଛି । ଏହି ସମୟରେ ଯଦି ବାତ୍ୟା ହୁଏ ତେବେ ବର୍ଷା ଓ ପବନରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବ ।

ଅପରପକ୍ଷେ ସ୍ଥାନୀୟ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନ ପରେ ସମୁଦ୍ରରୁ ଫେରୁଛନ୍ତି ମତ୍ସ୍ୟଜୀବୀ । ସୁରକ୍ଷିତ ସ୍ଥାନକୁ ଜାଲ, ଡଙ୍ଗା ସହ ଯନ୍ତ୍ରାଂଶ ଆଣୁଛନ୍ତି । ବାତ୍ୟା କେତେ ଭୟଙ୍କର ହେବ ଆଉ ଏହା କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି ।

ବାତ୍ୟା ଖବର ଶୁଣି ଅସ୍ତରଙ୍ଗ ବ୍ଲକ୍ର ଛୁରିଆନା, ଡାଳୁଅକଣି, ତଣ୍ଡାହାର, ସହନ, ନୂଆଗଡ଼, ଝାଡ଼ଲିଙ୍ଗ, କାଳିଆକଣ, ନଗର, ଆଳସାହି, ତାଳଦା ଶିଶୁଅ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ସମସ୍ତେ ପାଣିପାଗ ବିଭାଗର ଖବରକୁ ଚାତକ ପରି ଚାହିଁ ବସିଛନ୍ତି । ଗୋପ ବ୍ଲକ୍ରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ସମୟରେ ଏଠାରେ ଚାଷୀ ଦୁଇ ପ୍ରକାର ଚାଷ କରିଥାନ୍ତି । ନଈକୂଳରେ ବିଭିନ୍ନ ପ୍ରକାର ପରିବା ଚାଷ କରିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ତେବେ ଏହା ନଷ୍ଟ ହୋଇଯିବ । ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button