ଓଡିଶା

ଆଉ ଜଣେ ଓଡ଼ିଆ ମୃତ: ବାଲେଶ୍ବରର ପ୍ରଶାନ୍ତଙ୍କ ସହ ବଲାଙ୍ଗୀରର ଦୀନେଶ

ଲାଠୋର: ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣରେ ଜଣେ ନୁହେଁ, ଦୁଇଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ସହ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଲାଠୋରର ଦୀନେଶ ଅଗ୍ରୱାଲ (୪୫)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଲାଠୋରବାସୀ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି। ମୃତ ଦୀନେଶଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ବର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନପୁଅ ଦୀନେଶ ଲାଠୋର ଶ୍ରୀଦୁର୍ଗେଶ୍ୱରୀ ହାଇସ୍କୁଲରେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ। ପରେ ସେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ। ପ୍ରାୟ ୧୦ ବର୍ଷ ହେବ ଦୀନେଶ ଛତିଶଗଡ଼ ରାଜଧାନୀ ରାୟପୁରରେ ସପରିବାର ରହି ସେଠାରେ ଷ୍ଟିଲ୍‌ ବ୍ୟବସାୟ କରୁଥିଲେ।

ବାଲେଶ୍ବରର ପ୍ରଶାନ୍ତଙ୍କ ସହ ବଲାଙ୍ଗୀରର ଦୀନେଶ 
ବିବାହ ବାର୍ଷିକୀ ପାଳନ ପାଇଁ ଯାଇଥିଲେ

ସେଠାରେ ମଧ୍ୟ ସେ ଜଣାଶୁଣା ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ଦୀନେଶ ତାଙ୍କ ୨୦ତମ ବିବାହ ବାର୍ଷିକୀ ଉତ୍ସବ ପାଳନ ପାଇଁ ପତ୍ନୀ ନେହା ଏବଂ ଝିଅପୁଅଙ୍କୁ ସାଙ୍ଗରେ ନେଇ କଶ୍ମୀର ଯାଇଥିଲେ। ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁବାର ସକାଳେ ତାଙ୍କ ସମ୍ପର୍କୀୟ ମୃତଶରୀର ନେଇ ରାୟପୁରରେ ପହଞ୍ଚିବେ। ଲାଠୋରରୁ ତାଙ୍କ ସମ୍ପର୍କୀୟମାନେ ଗୁରୁବାର ରାୟପୁରରେ ପହଞ୍ଚିବା ପରେ ସେଠାରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଲାଠୋରରେ ରହୁଥିବା ଦୀନେଶଙ୍କ ନିକଟ ସଂପର୍କୀୟ ଭାଇ ଶ୍ରବଣ କୁମାର ଅଗ୍ରୱାଲ୍‌ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପହଲଗାମ୍‌ରେ ସଂଘଟିତ ଏହି ଭୟାବହ ଆତଙ୍କବାଦୀ ଆକ୍ରମଣରେ ବାଲେଶ୍ବରର ପ୍ରଶାନ୍ତ ଶତପଥୀ ପ୍ରାଣ ହରାଇଥିବା ସରକାରୀ ସୂଚନାରୁ ସ୍ପଷ୍ଟ ହୋଇଥିଲା। ତେବେ ଦୀନେଶ ଅଗ୍ରୱାଲଙ୍କ ଠିକଣା ଭୁଲ୍‌ କ୍ରମେ ଛତିଶଗଡ଼ ପରିବର୍ତ୍ତେ ଚଣ୍ଡୀଗଡ଼ ରହିଥିବାରୁ ତାଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button