ଦେଶ ବିଦେଶ

ବିକୃତ କଶ୍ମୀର ମାନଚିତ୍ର ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଦୁଇ ଜଣ ସାଂସଦଙ୍କୁ ଧକ୍କା ଦେଇ ଆହତ କରିବା ଏବଂ ଜର୍ଜ ସୋରୋସ୍-ସୋନିଆ ଗାନ୍ଧୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଅଡ଼ୁଆରେ ଥିବା ବେଳେ କର୍ଣ୍ଣାଟକ କାର୍ଯ୍ୟକ୍ରମ ପୂର୍ବରୁ କଶ୍ମୀରର ବିକୃତ ମାନଚିତ୍ରକୁ ନେଇ ଏହା ପୁଣି ସମାଲୋଚନାର ଶିକାର ହୋଇଛି। ବିଜେପିର ରାଜ୍ୟ ୟୁନିଟ୍ ଏକ୍ସରେ ‘ବିକୃତ’ ମାନଚିତ୍ର ଥିବା କଂଗ୍ରେସ ପୋଷ୍ଟରର ଏକ ଫଟୋ ପୋଷ୍ଟ କରିଛି ଏବଂ କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଚିତ୍ରଣ କରି କଂଗ୍ରେସ ଭାରତର ସାର୍ବଭୌମତ୍ୱ ପ୍ରତି ସମ୍ପୂର୍ଣ୍ଣ ଅସମ୍ମାନ ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି। ଏସବୁ କେବଳ ସେମାନଙ୍କ ଭୋଟ୍ ବ୍ୟାଙ୍କକୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଏହା ଲଜ୍ଜାଜନକ ବୋଲି ବିଜେପିର ପୋଷ୍ଟରେ ଉଲ୍ଲେଖ କରାଯାଇଛି। କଂଗ୍ରେସ ଏହା ଉପରେ ପ୍ରତିକ୍ରିୟାରେ କହିଛି, ଆଜି ଓ ଆସନ୍ତାକାଲି କର୍ଣ୍ଣାଟକର ବେଲଗାଭିରେ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକକୁ ବିଜେପି ମିଛ କହି ଭଣ୍ଡୁର କରିବାକୁ ଚେଷ୍ଟା କରୁଛି।

କାଶ୍ମୀରକୁ ପାକିସ୍ତାନର ଅଂଶ କରିବାକୁ ଚାହୁଥିବା ଆମେରିକାର ସାଂସଦ ଇଲହାନ ଓମାର ଏବଂ ଭାରତ ବିରୋଧୀ ଆମେରିକୀୟ ପୁଞ୍ଜିପତି ଜର୍ଜ ସୋରୋସ୍‌ଙ୍କ ସହ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସପର୍କ ପ୍ରସଙ୍ଗ ବିଜେପି ପୁଣିଥରେ ଉଠାଇଛି। ସୋରୋସ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଓସିସିଆର୍‌ପି ବା ସଂଗଠିତ ଅପରାଧ ଓ ଦୁର୍ନୀତି ରିପୋର୍ଟିଂ ପ୍ରୋଜେକ୍ଟ ଏବଂ ଆମେରିକା ସରକାରଙ୍କ ମଧ୍ୟରେ ‘ଲୁକ୍କାୟିତ’ ସମ୍ପର୍କ ଥିବା ଅଭିଯୋଗ ଆଣିଥିବା ଫ୍ରାନ୍ସର ପ୍ରକାଶନ ‘ମିଡିଆପାର୍ଟ’ର ଏକ ରିପୋର୍ଟ ଉପରେ ବିଜେପି କଡ଼ା ସମାଲୋଚନା କରିଥିଲା। ଭାରତକୁ ବଦନାମ କରିବା ପାଇଁ କଂଗ୍ରେସ ସୋରୋସ୍ ଓ ଓସିସିଆରପି ସହ ମିଶି କାମ କରୁଛି ବୋଲି ଏଥିରେ ଅଭିଯୋଗ କରାଯାଇଛି। ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି, ପାକ୍‌ର ସ୍ୱରରେ ଗୀତ ଗାଇବା ଏବଂ ଜମ୍ମୁ-କଶ୍ମୀରକୁ ପାକିସ୍ତାନକୁ ହସ୍ତାନ୍ତର କରିବା କଂଗ୍ରେସର ଏଜେଣ୍ଡା। କଂଗ୍ରେସ ନେତା ଶ୍ରୀନିବାସ ବିଭି ତୀବ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଏହି ବିବାଦ ବିଜେପି ଓ ଆର୍‌ଏସ୍‌ଏସ୍‌ ଦ୍ୱାରା ସୃଷ୍ଟି କରାଯାଇଛି ଏବଂ ଜନତା ଏହାକୁ କେବେ ବି ଗ୍ରହଣ କରିବେ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button