କ୍ରାଇମ

ଲପଡ଼ା ଟ୍ରିପଲ ମର୍ଡର: ବାପାକୁ ଫାଶୀ, ପୁଅକୁ ଆଜୀବନ କାରାଦଣ୍ଡ – Utkal Mail


କୁଚିଣ୍ଡା: ବହୁଚର୍ଚ୍ଚିତ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ଟ୍ରିପଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ପ୍ରାୟ ୩ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ମାମଲାର ବିଚାରକରି କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନବୀନ ଦେହୁରୀକୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ହତ୍ୟାକାଣ୍ଡର ସହଯୋଗ କରିଥିବା ନବୀନର ପୁଅ ହେମାନନ୍ଦ ଓରଫ ମଣ୍ଟୁକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ ଲପଡ଼ା ଗାଁର ନବୀନ ଦେହୁରୀ ଓ ପୀରବତୀ ସାହୁଙ୍କ ମଧ୍ୟରେ ବହୁ ଦିନରୁ ଜମି ବିବାଦ ଲାଗି ରହିଥିଲା। ପୀରବତୀଙ୍କ କେବଳ ୨ଟି ଝିଅ ଥିଲେ। ଗୋଟିଏ ଝିଅ ବାହା ହେବା ପରେ ଶାଶୂଘରେ ରହୁଥିବା ବେଳେ ଅନ୍ୟ ଝିଅ ସାବତ୍ରୀ ଓ ତାଙ୍କ ସ୍ବାମୀ ଗିରିଧାରୀ ବେହେରା ପୀରବତୀଙ୍କ ପାଖରେ ଲପଡ଼ା ଗାଁରେ ରହୁଥିଲେ। ଜମି ବିବାଦ କୋର୍ଟକୁ ଯାଇଥିଲେ ବି ତାହା ପୀରବତୀଙ୍କ ସପକ୍ଷରେ ଯାଇଥିଲା। ‌‌ଜମି ଅକ୍ତିଆର କରିବା ଉଦ୍ଦେଶ୍ୟରେ ପୀରବତୀ ଓ ତାଙ୍କ ଝିଅଜ୍ବାଇଁଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇଦେବାକୁ ନବୀନ ଯୋଜନା କରିଥିଲା। ଗତ ୨୧ ଅକ୍ଟୋବର ୨୦୨୦ ମସିହାରେ ଅପରାହ୍‌ଣ ୨ଟା ୩୦ ସମୟରେ ଗିରିଧାରୀ ପୂର୍ବରୁ କାଟି ରଖିଥିବା ଧାନକୁ ‌ଆଣିବାକୁ ବିଲକୁ ଯାଇଥିଲେ। ପୂର୍ବରୁ ଛକି ରହିଥିବା ନବୀନ ଦେହୁରୀ ପଛପଟୁ ଟାଙ୍ଗିଆରେ ଗିରିଧାରୀଙ୍କୁ ଆକ୍ରମଣ କରିଥିଲା। ପ୍ରାଣ ବିକଳରେ ସେ ବିଲ ମଧ୍ୟରେ ଦୌଡ଼ି ଥିଲେ। ନବୀନ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ଥିଲା। ଘଟଣାସ୍ଥଳରେ ହିଁ ଗିରିଧାରୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ଦେଖି କ୍ଷେତରେ କାମ କରୁଥିବା ଜଣେ ବ୍ୟକ୍ତି ଭୟରେ ସେଠାରୁ ଦୌଡ଼ି ପଳାଇ ଥିଲେ। ଗାଁକୁ ଫେରିବା ସମୟରେ ଘର ପାଖ ନଳକୂଅରେ ଗିରିଧାରୀଙ୍କ ପତ୍ନୀ ସାବିତ୍ରୀ ସାହୁ (୩୫) ଓ ତାଙ୍କ ମା ପୀରବତୀ ସାହୁ (୫୫) ପାଣି ନେଉଥିବା ନବୀନ ଦେଖିବାକୁ ପାଇଥିଲା। ରକ୍ତମୁଖା ନବୀନ ଟାଙ୍ଗିଆ ଧରି ଦଉଡ଼ି ଆସି ଉଭୟ ମହିଳାଙ୍କୁ ହାଣି ପକାଇଥିଲା।

ଜୀବନ ରକ୍ଷା ପାଇଁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ନବୀନର ପୁଅ ମଣ୍ଟୁ ସେଠାରେ ପହଂଚି ଉଭୟ ମହିଳାଙ୍କୁ ଧରି ପକାଇଥିଲା। ଏହାର ସୁଯୋଗ ନେଇ ନବୀନ ଦୁଇ ମାଝିଅ ପୀରବତୀ ଓ ସାବିତ୍ରୀଙ୍କୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରି ହତ୍ୟା କରିଥିଲା। ଏହି ମାମଲାର ବିଚାର ସମୟରେ କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ୪ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ସର୍ବମୋଟ ୨୦ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉଭୟ ବାପପୁଅ ନବୀନ ଓ ମଣ୍ଟୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନବୀନକୁ ଫାଶୀଦଣ୍ଡ ଏବଂ ହତ୍ୟାରେ ସହଯୋଗ କରିବା ଅଭିଯୋଗରେ ପୁଅ ମଣ୍ଟୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ସରକାରୀ ଓକିଲ ରବୀନ୍ଦ୍ର କୁମାର ନାୟକ ମାମଲା ପରିଚାଳନା କରୁଥିଲେ। ଏହି ହତ୍ୟାକାଣ୍ଡ ପରେ ଗିରିଧାରୀଙ୍କ ଝିଅ ସ୍ବପ୍ନା ବେହେରା(୧୪) ଓ ପୁଅ ସଚିନ ବେହେରା(୧୧) ବର୍ଷ ଅନାଥ ହୋଇଯାଇଥିଲେ।

ହତ୍ୟାକାଣ୍ଡ ପରେ ଲପଡ଼ା ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ତତ୍କାଳୀନ ସମ୍ବଲପୁର ଏସ୍‌ପି କନ୍‌ୱର ବିଶାଳ ସିଂହ, କୁଚିଣ୍ଡା ଏସ୍‌ଡ଼ିପିଓ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା ପ୍ରମୁଖ ସଦଳବଳେ ପହଞ୍ଚି ଘରେ ଲୁଚିଥିବା ଅଭିଯୁକ୍ତ ବାପ-ପୁଅ ନବୀନ ଓ ମଣ୍ଟୁକୁ କାବୁ ତଦନ୍ତ ଆରମ୍ଭ କରିଥିଲେ। ଗାଁରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ମାମଲାକୁ ରେଡ୍ ଫ୍ଲାଗ୍ ଟ୍ୟାଗ୍‌ କରାଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button