କ୍ରାଇମ

ଭାଇର ଦଶାହକୁ ଯାଇଥିଲା ପୁରା ପରିବାର, ଘର ସଫା କରିଦେଲେ ଚୋର

ରାୟଗଡା: ଭାଇର ଦଶାହ କାମରେ ଯାଇଥିଲା ପୁରା ପରିବାର । ପ୍ରାୟ ସପ୍ତାହେ ହେବ ଘର ଖାଲି ପଡିଥିଲା । ଯାହାକୁ ଅନୁମାନ କରିଥିଲେ ଲୁଟେରା । ଆଉ ସୁଯୋଗ ନେଇ ଘରେ ବୁଲାଇଦେଲେ କଳାକନା । ପୁଣି ମାତିଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ଘର କବାଟ ଭାଙ୍ଗି ସବୁକିଛି ଲୁଟିନେଲେ ଦୁର୍ବୃତ୍ତ । ୧୨ ହଳ ପାଉଁଜି ସହ ନଗଦ ୬୦ ହଜାର ଟଙ୍କା ଲୁଟି ମାରିଲେ ଚମ୍ପଟ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାଣୀଗୁଡା ଫାର୍ମ ଡିଏଫୋ ଅଫିସ ପାଖରେ ରହୁଥିବା ବସନ୍ତ କୁମାର ସ୍ୱାଇଁଙ୍କ ଘରେ ।

ଏପଟେ ସନ୍ଧାନୀ କୁକୁର ତଦନ୍ତ ଚଳାଇଛି । ଘରର ଏଣେତେଣେ ପଡ଼ିଛି ଆସବାବ ପତ୍ର । ପୂରା ଘରେ ଛିନ୍ ବିନ୍ ହୋଇ ପଡ଼ିଛି କପଡ଼ା । ସୁନା ରୂପା ଖୋଳ ଥୁଆ ହୋଇଛି ହେଲେ ସେଥିରେ ଜିନିଷ ନାହିଁ । ଘର ଭିତରେ ଥିବା ଆଲମିରା ଖୋଲା ହୋଇପଡ଼ିଛି । ସୂଚନା ମୁତାବକ ବସନ୍ତ ନିଜ ଭାଇର ଦଶାହ କାମରେ ଏକ ସପ୍ତାହ ପୂର୍ବରୁ କଟକ ଯାଇଥିଲେ । ଯାହାକୁ ଅନୁମାନ କରୁଥିଲେ ଚୋର । ଶେଷରେ ଗତ କାଲି ବିଳମ୍ବିତ ରାତିରେ ବସନ୍ତଙ୍କ ଘରେ ପଶି ସବୁକିଛି ଲୁଟି ନେଇଯାଇଛନ୍ତି ।

ବସନ୍ତ ଓ ତାଙ୍କ ପରିବାର ସେହି ଘରେ ଭଡା ରହୁଥିଲେ । ଏହି ଖବର ଜାଣିବା ପରେ ଘର ମାଲିକ ଗୌର ଶଙ୍କର ପାତ୍ର ପୋଲିସକୁ ଲିଖିତ ଅଭିଯୋଗ ଦେଲାପରେ ରାୟଗଡା ଟାଉନ ଥାନା ପୋଲିସ ସନ୍ଧାନୀ କୁକୁର ଓ଼ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଆଜିକାଲି ପ୍ରତ୍ୟକ ସ୍ଥାନରେ ବଢ଼ିଚାଲିଛି ଚୋରଙ୍କ ଉତ୍ପାତ । ରାତି ହେଲେ ଲୋକଙ୍କ ଘରେ ପଶି ମନ ଇଚ୍ଛା ଲୁଟ୍‌ କରୁଛନ୍ତି । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍‌ କରୁଛନ୍ତି ।

ସକାଳ ପାହିଲେ ଚୋରଙ୍କ କାରନାମାକୁ ନେଇ ଗଣମାଧ୍ୟମରେ ଖବର । ପୋଲିସ୍ କୁ ଯେମିତି ଖୁଲମଖୁଲା ଚାଲେଞ୍ଜ ଦେଇ ଆଖି ପଛୁଳାକେ ଲୁଟିନେଉଛନ୍ତି । ଟଙ୍କା ଓ ସୁନା ଅଳଙ୍କାର ମିଳିବା ପରେ ଫେରାର ମାରୁଛନ୍ତି । ଏମାନେ ଚୋରି କରିବା ସମୟରେ ପୋଲିସକୁ ବି ଭୟ କରୁ ନାହାନ୍ତି । ଏମାନଙ୍କ ପ୍ରତି ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ହୁଏତ ଏମାନଙ୍କ ମନରେ ଭୟ ଆସିବ । ଏବଂ ଚୋରି କରିବା ପ୍ରବୃତିରୁ ହୁଏତ ଏ ଚୋରମାନେ ଦୂରେଇ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button