ନୀତି

ପତ୍ନୀଙ୍କୁ ଜହ୍ନରେ ଜାଗା ଉପହାର, ମୂଲ୍ୟ ମାତ୍ର ୧୦,୦୦୦ ଟଙ୍କା ! – Utkal Mail


୨୦୦୮ରେ କଣ୍ଠଶିଳ୍ପୀ ସୁରେଶ ୱାଡେକରଙ୍କ କଣ୍ଠରେ ‘ଜହ୍ନ ରାଇଜରେ ଜାଗାଟେ କିଣିଛି…’ ନାମକ ଆଲ୍‌ବମ୍‌ ଗୀତଟି ମୁକ୍ତିଲାଭ କରିଥିଲା। ଗୀତଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହି ରୋମାଣ୍ଟିକ୍ ଗୀତଟିରେ ପ୍ରେମିକ ତା’ ପ୍ରେମିକାକୁ ଜହ୍ନରେ ଜାଗା କିଣିଥିବା କଥା କହି ସେଠାରେ ବସବାସ କରିବାର କାଳ୍ପନିକ ଇଚ୍ଛା ବ୍ୟକ୍ତ କରିଛି।

ମାତ୍ର ଏହି ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି। ଅନେକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ଜହ୍ନରେ ଜାଗା କିଣି ଉପହାର ଦେଉଛନ୍ତି।  ପଶ୍ଚିମବଙ୍ଗର ସଞ୍ଜୟ ମହାତୋ ନାମକ ଯୁବକ ନିକଟରେ ତାଙ୍କ ପତ୍ନୀଙ୍କୁ ଜନ୍ମଦିନରେ ସତକୁସତ ଜହ୍ନରାଇଜର ଜାଗା କିଣି ଉପହାର ଦେଇଛନ୍ତି। ପ୍ରେମାଳାପ ଛଳରେ ହେଉ ପଛକେ, ବିବାହ ପୂର୍ବରୁ ସେ ତାଙ୍କ ପ୍ରେମିକା ତଥା ଭାବୀ ପତ୍ନୀ ଅନୁମିକାଙ୍କୁ ଜହ୍ନରେ ଜାଗା କିଣିଦେବେ ବୋଲି କଥା ଦେଇଥିଲେ। ଦୀର୍ଘ ଦିନ ଧରି ପ୍ରେମସମ୍ପର୍କ ଚାଲିବା ପରେ ସେମାନେ ଗତ ଏପ୍ରିଲ ମାସରେ ବିବାହ କରିଥିଲେ। ମାତ୍ର ସଞ୍ଜୟଙ୍କ ମନରେ ପତ୍ନୀଙ୍କୁ ଦେଇଥିବା କଥା ରଖିନପାରିବାର ଅବସୋସ ଥିଲା। ନିକଟରେ ପତ୍ନୀଙ୍କ ବିବାହ ପରବର୍ତ୍ତୀ ପ୍ରଥମ ଜନ୍ମଦିନରେ ସେ ତାଙ୍କୁ ଜହ୍ନରାଇଜର ଏକ ଏକର ପରିମିତ ଜମି ଉପହାର ଦେଇଛନ୍ତି। ଏଥିପାଇଁ ତାଙ୍କୁ ଦଶ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

ଲୁନା ସୋସାଇଟି ଇଣ୍ଟରନାସନାଲ ସଂସ୍ଥା ଠାରୁ ଉକ୍ତ ଜମି ହାସଲ କରିବା ପାଇଁ ଦୀର୍ଘ ବର୍ଷେ ସମୟ ଲାଗିଥିଲା। ତେବେ ପତ୍ନୀଙ୍କୁ ସେ ତାହାର ପଞ୍ଜୀକରଣ କାଗଜପତ୍ର ଉପହାର ଦେଇ ଚମକାଇ ଦେଇଛନ୍ତି। ଯଦିଓ ସେମାନେ କେବେ ସଶରୀର ଜହ୍ନ ରାଇଜର ଜମି ବୁଲି ଯାଇ ପାରିବେନି, ତଥାପି ନିଜ ଅଗଣାରେ ବସି ଜହ୍ନକୁ ଚାହିଁ ଖୁସି ହୋଇପାରିବେ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ଯଦିଓ ପୃଥିବୀ ବାହାରେ କୌଣସି ସାମଗ୍ରୀର ବ୍ୟକ୍ତିଗତ ମାଲିକାନା ଅସମ୍ଭବ, ତଥାପି ଉପହାର ବିକ୍ରି କରୁଥିବା କିଛି ୱେବ୍‌ସାଇଟ୍‌ ଜହ୍ନ ରାଇଜରେ ଜାଗା ବିକିବା ଜାରି ରଖିଛନ୍ତି ଓ ତାହାର ପ୍ରମାଣପତ୍ର ମଧ୍ୟ ଯୋଗାଉଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button