ଡେଲାଙ୍ଗର ପେସାଦାର ଅପରାଧୀଙ୍କ ଜଟଣୀରେ ଡେରା: ଲୁଟ୍ପାଟ ଅଭିଯୋଗରେ ଲିପା, ସିପୁ ଗିରଫ – Utkal Mail
ଜଟଣୀ: ଗତ କିଛି ଦିନ ହେଲା ଜଟଣୀରେ ଡେରା ପକାଇଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳର ୨ ପେସାଦାର ଅପରାଧୀ ଧରାପଡ଼ିଛନ୍ତି। ଖୁଦୁପୁର ଅଞ୍ଚଳରେ ରହି ଲୁଟ୍ପାଟ୍ କରୁଥିବା ଏହି ଅଭିଯୁକ୍ତଦ୍ବୟ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଗଡ଼ ବେଗୁନିଆପଡ଼ାର ପୂର୍ଣ୍ଣଚନ୍ଦ୍ର ପରିଡ଼ା ଓରଫ୍ ଲିପା (୩୨) ଓ ସେହି ଥାନା ହାଟସାହିର ରଶ୍ମିରଂଜନ ପାତ୍ର ଓରଫ୍ ସିପୁ(୨୮)। ପୁଲିସ ସୂଚନାନୁସାରେ ଅଭିଯୋଗକାରୀ ଜି. ସୋମନାଥ ଶୁକ୍ରବାର ଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀ ଫେରୁଥିଲେ। ସେ ବାଇକ୍ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ। ତାଙ୍କୁ ଅତର୍କିତ ଆକ୍ରମଣ କରି ୨୨ଶହ ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ।
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ଏହା ପୂର୍ବରୁ ଏହି ରାସ୍ତାରେ ଏମିତି ଆଉ କିଛି ଛିନ୍ତାଇ ହୋଇଥିବା ନେଇ ଅଭିଯୋଗ ଥିଲା। ତେଣୁ ଜଟଣୀ ଥାନା ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଲୁଟେରାମାନଙ୍କୁ ଠାବ କରିବାକୁ ଜାଲ ବିଛାଇଥିଲା। ଦୁଇ ଲୁଟେରା ଖୁଦୁପୁର ଅଞ୍ଚଳରେ ରହୁଥିବା ଖବର ପାଇ ପୁଲିସ ଗତକାଲି ରାତିରେ ଚଢ଼ଉ କରିଥିଲା। ସେମାନଙ୍କ ନିକଟରୁ ସୋମନାଥଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତ ଲିପା ନାମରେ ପୂର୍ବରୁ ଏୟାର୍ଫିଲ୍ଡ ଓ ଡେଲାଙ୍ଗ ଥାନାରେ ୮ରୁ ଅଧିକ ମାମଲା ରହିଛି। ସେଗୁଡ଼ିକ ମଧ୍ୟରେ ଲୁଟ୍ ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ମାମଲା ରହିଛି। ସେହିଭଳି ସିପୁ ମଧ୍ୟ ଡେଲାଙ୍ଗ ଅଞ୍ଚଳରେ ବହୁ ଅପରାଧିକ ମାମଲାରେ ଜଡ଼ିତ ରହିଛି।