ଓଡିଶା

ବହିଷ୍କୃତ ହେଲେ ଚାଟଜିପିଟି ତିଆରି କରୁଥିବା ଓପେନ ଏଆଇ ସିଇଓ ସାମ ଅଲ୍ଟମନ – Utkal Mail


ନୂଆଦିଲ୍ଲୀ: ଟେକ ଇଣ୍ଡଷ୍ଟ୍ରିକୁ ଝଟକା ।  ଚାଟ ଜିପିଟି ଓ  ଜିପିଟି-୪ ତିଆରି କରୁଥିବା କମ୍ପାନୀ ଓପେନ ଏଆଇର ସିଇଓ ତଥା କମ୍ପାନୀର କୋ-ଫାଉଣ୍ଡର ସାମ ଅଲ୍ଟମନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସ ତାଙ୍କୁ ଏହି ପଦବୀରୁ ବହିଷ୍କୃତ କରିଛନ୍ତି  । ଓପେନ ଏଆଇ ପକ୍ଷରୁ ଶୁକ୍ରବାର କୁହାଯାଇଛି, କମ୍ପାନୀ ପରିଚାଳନା କରିବାରେ ଅଲ୍ଟମନଙ୍କ ଦକ୍ଷତା ଉପରୁ ଭରସା ହରାଇବା ପରେ  ବୋର୍ଡ ଅଫ ଡାଇରେକ୍ଟର୍ସ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଛନ୍ତି ।

ବୋର୍ଡ ଅଫ ଡାଇରକ୍ଟର୍ସ ପକ୍ଷରୁ ଆହୁରି କୁହାଯାଇଛି, ଅଲ୍ଟମନଙ୍କ ଅବଦାନ ପ୍ରତି ଆମେ କୃତଜ୍ଞ । କିନ୍ତୁ ଆଗକୁ ଯିବା ପାଇଁ ନୂଆ ନେତୃତ୍ୱର ଆବଶ୍ୟକତା ରହିଥିବାରୁ ଆମେ ପରିବର୍ତ୍ତନ ନିଷ୍ପତ୍ତି ନେଇଛୁ । ତେବେ କମ୍ପାନୀ ବା ବୋର୍ଡ ଅଲ୍ଟମନଙ୍କ ବହିଷ୍କାର ସମ୍ପର୍କିତ ବିସ୍ତୃତ କାରଣ ଦେବ ନାହିଁ ।

ଅନ୍ୟପକ୍ଷେ ଚିଫ ଟେକ୍ନୋଲଜି ଅଫିସର ତଥା ଭାରତୀୟ ବଂଶୋଦ୍ଭବ ମୀରା ମାରୁତି ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଯଥାଶିଘ୍ର ସ୍ଥାୟୀ ସିଇଓ ନିଯୁକ୍ତି ଦିଆଯିବ ।

ଅନ୍ୟପକ୍ଷେ ଅଲ୍ଟମନ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି,  ଓପନ ଏଆଇରେ ବିତାଇଥିବା ସମୟକୁ ଭଲ ପାଏ। କମ୍ପାନୀରେ ଦକ୍ଷ ବ୍ୟକ୍ତିଙ୍କ ସହ କାମ କରି ମୁଁ ଅଧିକ ଉପଭୋଗ କରିଛି। ଇସ୍ତଫା ଏକ ପରିବର୍ତ୍ତନଶୀଳ ନିଷ୍ପତ୍ତି।’ ସେ ଆହୁରି ଲେଖିଛନ୍ତି, ‘ଏହାପରେ  ମୁଁ  କ’ଣ କରିବି, ପରେ ଜଣାଇବି।

ଏହି ଖବର ସାମ୍ନାକୁ ଆସିବା ପରେ ଓପେନ ଏଆଇର ଅଧ୍ୟକ୍ଷ ଜର୍ଜ ବ୍ରୋକମ୍ୟାନ ଯିଏ କି ଅଲ୍ଟମନ ଏବଂ ଏଲନ ମସ୍କଙ୍କ ସହ ଏହି ଷ୍ଟାର୍ଟ ଅପର କୋ ଫାଉଣ୍ଡର ଥିଲେ, କହିଛନ୍ତି, ସେ ମଧ୍ୟ ଖୁବ ଶୀଘ୍ର କମ୍ପାନୀ ଛାଡିବେ ବୋଲି କହିଛନ୍ତି ।

ସେ ଏକ୍ସରେ କହିଛନ୍ତି, ଆମେ ଏକା ସାଙ୍ଗରେ ବହୁତ କଠିନ ସମୟ ଦେଇ ଗତି କରିଛୁ । ଏହି କାରଣରୁ ବହୁତ କିଛି ହାସଲ ମଧ୍ୟ କରିଛୁ ଯାହା ଏକ ପ୍ରକାର ଅସମ୍ଭବ ଥିଲା । ହେଲେ ଆଜିର ଖବର ଆଧାରରେ ମୁଁ ଛାଡି ଦେଉଛି ବୋଲି କହିଛନ୍ତି ।

ସୂଚନା ଥାଉ କି,  ଗତ ବର୍ଷ ୩୮ ବର୍ଷୀୟ ସାମ ଅଲ୍ଟମ୍ୟାନ୍‌  ଏଆଇ ଆଧାରିତ ଚାଟ୍‌ଜିପିଟିକୁ ତିଆରି କରିଥିଲେ, ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ କାମ କରୁଥିବା ସଫ୍ଟଓ୍ୱେୟାର ଥିଲା। ଅଦୃଶ୍ୟ କ୍ଷମତା ବିଶିଷ୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଚାଟବିଟ୍ ଚାଟ୍ ଜିପିଟି ରିଲିଜ୍ ହେବା ପରେ ସେ ବୈଷୟିକ ଜଗତରେ ଏକ ହଇଚଇ ସୃଷ୍ଟି ହୋଇଥିଲା।   ୨୦୧୫ରେ ChatGPT ତିଆରି କରିଥିବା କମ୍ପାନୀ OpenAI ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button