ବହିଷ୍କାର ହେଲେ ମଦ କିଣିବାକୁ ଗୁରୁତ୍ବପୂର୍ଣ୍ଣ ଅଫିସ୍ ଫାଇଲ୍ ବିକ୍ରି କରିଥିବା ସରକାରୀ କର୍ମଚାରୀ – Utkal Mail
କାନପୁର: ମଦ କିଣିବାକୁ ଟଙ୍କା ଯୋଗାଡ଼ କରିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିବା ସରକାରୀ ଫାଇଲ୍ ବିକ୍ରି କରି ଉତ୍ତର ପ୍ରଦେଶର କାନପୁର ବିକାଶ ଭବନର ଜଣେ କର୍ମଚାରୀ ବହିଷ୍କୃତ ହୋଇଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ପଚରା ଉଚରା କରାଯିବାରୁ ଉକ୍ତ ସଫେଇ ବା ପରିମଳ କର୍ମଚାରୀଜଣକ ସେ ଫାଇଲ୍ଗୁଡ଼ିକୁ ବିକ୍ରୟ କରି ଦେଇଥିବା କଥା ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଆଗରୁ ମଧ୍ୟ ସେ ଏମିତି କେତେକ କାଗଜପତ୍ର ବିକ୍ରୟ କରିଥିବା କଥା କହିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ପରିମଳ କାର୍ଯ୍ୟ ନିମନ୍ତେ ଉତ୍ତର ପ୍ରଦେଶ ପ୍ରଶାସନ କେତେ ଜଣ ଘରୋଇ କର୍ମଚାରୀଙ୍କୁ ନିୟୋଜିତ କରିଛି। ଉକ୍ତ କର୍ମଚାରୀଙ୍କ ମଧ୍ୟରୁ ଜଣେ ସାମାଜିକ ଜନକଲ୍ୟାଣ, ଉଦ୍ୟାନ ଏବଂ ବାର୍ଦ୍ଧକ୍ୟ ଭତ୍ତା ଆବେଦନ ଥିବା କେତେଗୁଡ଼ିଏ ସରକାରୀ ଫାଇଲ୍ ଓ ବିଡ଼ା ବନ୍ଧାହୋଇଥିବା କାଗଜପତ୍ରକୁ ଅଳିଆ ହିସାବରେ ବିକ୍ରୟ କରିଦେଇଛନ୍ତି।
ଏକଥା ଜଣାପଡ଼ିବା ପରେ ସମଗ୍ର ବିଭାଗ ଭୟଭୀତ ହୋଇଯାଇଛି। ପରିଶେଷରେ, ଜିଲ୍ଲା ମୁଖ୍ୟ ଅଧିକାରୀ ଉକ୍ତ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିବା ସହିତ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।
ସୂଚନାଯୋଗ୍ୟ, ସାମାଜିକ ଜନକଲ୍ୟାଣ ବିଭାର କମ୍ପ୍ୟୁଟର୍ ରୁମ୍ରେ ରଖାଯାଇଥିବା ବାର୍ଦ୍ଧକ୍ୟ ଭତ୍ତା ଆବେଦନ ଫର୍ମର ବିଡ଼ା ହଜିଯାଇଥିବା ଜଣା ପଡ଼ିଥିଲେ ବି ସେ ସବୁକୁ ଖୋଜି ପାଇବା ଉଦ୍ୟମ ବୃଥା ହୋଇଥିଲା।
କିନ୍ତୁ, ଗୁରୁବାର ଅପରାହ୍ଣରେ ଉକ୍ତ ସଫେଇ କର୍ମଚାରୀଜଣକ ଗୋଟାଏ ଅଖାରେ କିଛି ଫାଇଲ୍ ଓ କାଗଜପତ୍ର ଭର୍ତ୍ତି କରୁଥିବା ବେଳେ ଉତ୍ତର ପ୍ରଦେଶର ‘ନନ୍-କନ୍ଭେନ୍ସ୍ନାଲ୍ ଏନର୍ଜି ଡେଭ୍ଲପ୍ମେଣ୍ଟ୍ ଏଜେନ୍ସି’ର (ନେଡା) ଜଣେ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଘଟଣା ଲୋକଲୋଚନକୁ ଆସିଲା।
ସରକାରୀ କର୍ମଚାରୀମାନେ ଉକ୍ତ ଫାଇଲ ଓ କାଜଗପତ୍ର ଜବତ କରିଥିଲେ। ତା’ପରେ ସଫେଇ କର୍ମଚାରୀଙ୍କୁ ଧରି ଆଗରୁ ସେ ଯେଉଁ ଦୋକାନରେ ଏଭଳି କାଗଜପତ୍ର ବିକ୍ରି କରିଥିଲେ, ସେଠାକୁ ଯାଇଥିଲେ। ସେ ଦୋକାନରୁ କେତେକ କାଗଜପତ୍ର ଉଦ୍ଧାର କରାଯାଇଛି।