ସାଥିରେ ପାଠ ପଢ଼ି ଝିଅକୁ ନିଟ୍ ପାଇଁ ପ୍ରସ୍ତୁତ କରାଉଥିଲେ ବାପା, ଦୁହିଁଙ୍କୁ ମିଳିଲା ସଫଳତା – Utkal Mail
ପ୍ରୟାଗରାଜ୍: ମାତାପିତାମାନେ ନିଜ ପିଲାମାନଙ୍କୁ ସଫଳ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରନ୍ତି। ସଙ୍ଗମ ସହରର ପ୍ରୟାଗରାଜରେ ରହୁଥିବା ଜଣେ ବାପା ମଧ୍ୟ ନିଜ ଝିଅକୁ ସଫଳ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କର ସଫଳ କରିବାର ବାଟ ଭିନ୍ନ ଥିଲା। ଝିଅକୁ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ପ୍ରସ୍ତୁତ ହେବା ପାଇଁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ପ୍ରସ୍ତୁତ ହୋଇଥିଲେ ବାପା। ହେଲେ ଝିଅକୁ ସାହାଯ୍ୟ କରିବାକୁ ଯାଇ ସେ ନିଜେ ବି ନିଟ୍ ପରୀକ୍ଷା ପାସ୍ କରିବେ ବୋଲି ତାଙ୍କୁ ଜଣାନଥିଲା। ଏଠାରେ ଆମେ ୪୯ବର୍ଷୀୟ ଡାକ୍ତର ପ୍ରକାଶ ଖେତାନଙ୍କ ବିଷୟରେ କହୁଛୁ।
ପ୍ରକାଶ ଦିନ ସାରା ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରି ରାତିରେ ଝିଅ ମିତାଲିଙ୍କ ସହ ବସି ପାଠ ପଢ଼ନ୍ତି। ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଝିଅ ଯେମିତି ନିରୁତ୍ସାହିତ ନହେଉ ସେଥିପାଇଁ ପ୍ରକାଶ ମିତାଲିଙ୍କ ସହ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ। ଏହା ପରେ ଦୁହେଁ ମିଶି ନିଟ୍ ପରୀକ୍ଷା ଦେଇଥିଲେ। ପାସ୍ କରିବେ ବୋଲି ଆଶା ନଥିବା ବେଳେ ପରୀକ୍ଷା ଫଳାଫଳ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରକାଶ। ଭଳ ମାର୍କ ରଖି ପ୍ରକାଶ ପାସ୍ କରିଥିଲେ ବି ମିତାଲିଙ୍କଠାରୁ ତାଙ୍କର କମ ମାର୍କ ରହିଥିବା ଜଣାପଡ଼ିଛି।
ତେବେ ମିତାଲିଙ୍କ ପିତା ପ୍ରକାଶ ଖେତାନ ବୃତ୍ତିରେ ଜଣେ ଡାକ୍ତର। ସେ ୧୯୯୨ରେ ସିପିଏମଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ମୋତିଲାଲ ନେହେରୁ ମେଡିକାଲ କଲେଜରେ ଆଡମିଶନ କରି ଏମବିବିଏସ ପାଠ ପଢ଼ିଥିଲେ। ପାଠ ପଢ଼ା ଶେଷ ହେବା ପରେ ସେ ୧୯୯୯ରେ ଲକ୍ଷ୍ନୌରୁ ଏମଏସ ସର୍ଜରୀ ଏବଂ ୨୦୦୩ରେ ଏମସିଏଚ ନ୍ୟୁରୋ ସର୍ଜରୀ ପାଠ୍ୟକ୍ରମ ସମାପ୍ତ କରିଥିଲେ। କିନ୍ତୁ ଝିଅକୁ ଉତ୍ସାହିତ କରିବା ପାଇଁ ସେ ପୁନର୍ବାର ବହି ଉଠାଇ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରକାଶଙ୍କ କହିବା ମୁତାବକ, ମିତାଲିଙ୍କୁ ନିଟ୍ ପାଇଁ ପ୍ରସ୍ତୁତ କରାଇବାକୁ ରାଜସ୍ଥାନର କୋଟାକୁ ପଠାଇଥିଲେ। ହେଲେ ସେଠାକାର ପରିବେଶ ଠିକ୍ ନଥିବାରୁ ମିତାଲି ଘରକୁ ଫେରିଥିଲେ। କେମିତି ନିଟ୍ ପାଇଁ ପ୍ରସ୍ତୁତ ହେବି ବୋଲି ମିତାଲିଙ୍କ ମୁଣ୍ଡରେ ଚିନ୍ତା ପଶିଥିବା ବେଳେ ଝିଅକୁ ପ୍ରସ୍ତୁତ କରାଇବାର ଦାୟିତ୍ବ ନେଇଥିଲେ ପ୍ରକାଶ।