ମନୋରଞ୍ଜନ

ନାନା ରୂପରେ ଅମିତାଭ: କେବେ ନାୟକ, କେବେ ଖଳନାୟକ; ପୁଣି କେବେ ଗାୟକ – Utkal Mail


ଭାରତୀୟ ସିନେମାର ଜୀବନ୍ତ କିଂବଦନ୍ତି ଅମିତାଭ ବଚ୍ଚନ ତାଙ୍କର ଅବିଶ୍ୱସନୀୟ ବହୁମୁଖୀ ପ୍ରତିଭା ବଳରେ ସବୁ ପିଢ଼ିର ସିନେପ୍ରେମୀଙ୍କ ମନରେ ଅବିସ୍ମରଣୀୟ ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ଅନେକ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ସେ ବ୍ୟାପକ ଚରିତ୍ରକୁ ନିଖୁଣ ଢଙ୍ଗରେ ଚିତ୍ରଣ କରିଛନ୍ତି। ସେଗୁଡ଼ିକ ତାଙ୍କର ଅପାର ପ୍ରତିଭାକୁ ପ୍ରଦର୍ଶିତ କରିଥାଏ।

ଆଙ୍ଗ୍ରି ୟଙ୍ଗ୍‌ ମ୍ୟାନ୍‌
ଅମିତାଭ ବଚ୍ଚନଙ୍କ ଏ ଚରିତ୍ର ଭାରତୀୟ ସିନେମାର ଏକ ମାଇଲ୍‌ଖୁଣ୍ଟ। ‘ଜଞ୍ଜିର’ ଓ ‘ଦିୱାର’ ଭଳି ଚଳଚ୍ଚିତ୍ରରେ ସେ ସାମାଜିକ ଅନ୍ୟାୟ, ଭ୍ରଷ୍ଟାଚାର ଏବଂ ଅତ୍ୟାଚାର ବିରୋଧରେ ବିଦ୍ରୋହ କରୁଥିବା ଚରିତ୍ରମାନଙ୍କୁ ଜୀବନ୍ତ କରିବାରେ ସଫଳ ହୋଇଥିଲେ। ତାଙ୍କର ଯୁବସୁଲଭ ପ୍ରଦର୍ଶନ ଓ ଶକ୍ତିଶାଳୀ ସଂଳାପ ଯୋଗୁଁ ସେ ବିଦ୍ରୋହୀ ଯୁବଗୋଷ୍ଠୀର ଜଣେ ଚିରସବୁଜ ପ୍ରତୀକ ପାଲଟିଗଲେ।

ରୋମାଣ୍ଟିକ୍ ହିରୋ
ଅମିତାଭ କ୍ରମେ ରୋମାଣ୍ଟିକ୍ ଭୂମିକା ଆଡ଼କୁ ଅଗ୍ରସର ହୋଇଥିଲେ। ଏଥିରେ ମଧ୍ୟ ଚମତ୍କାର ଅଭିନୟ ପ୍ରଦର୍ଶନ କରି ସେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ‘କଭି କଭି’ ଓ ‘ସିଲ୍‌ସିଲା’ ପରି ଚଳଚ୍ଚିତ୍ର ତାଙ୍କର ରୋମାଣ୍ଟିକ୍‌ ପାର୍ଶ୍ୱକୁ ପ୍ରଦର୍ଶନ କରିଥିଲା, ଯେଉଁଥିରେ ସେ ଜଣେ ସଚ୍ଚା ପ୍ରେମିକର ବ୍ୟାକୁଳତା ଓ ନିରୀହତାକୁ ପରଦାରେ ନିଖୁଣ ଭାବେ ଉତାରି ପାରିଥିଲେ।

ହାସ୍ୟ ଅଭିନେତା
ଅମିତାଭଙ୍କ ବ୍ୟଙ୍ଗାତ୍ମକ ପ୍ରତିଭା ଅନେକ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଛି। ‘ଅମର ଆକ୍‌ବର ଆନ୍ଥୋନୀ’, ‘ଚୁପ୍‌କେ ଚୁପ୍‌କେ’, ‘ନମକ ହଲାଲ’ ଓ ‘ଛୋଟେ ମିଆଁ ବଡ଼େ ମିଆଁ’ ପରି ଚଳଚ୍ଚିତ୍ରରେ ତାଙ୍କର ହାସ୍ୟରସ ପ୍ରତିଭାକୁ ପୂର୍ଣ୍ଣ ରୂପରେ ବିନିଯୋଗ କରାଯାଇଛି। ଏହାଛଡ଼ା ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନୟ କରିଥିବା ଅଗଣିତ ଚଳଚ୍ଚିତ୍ରରେ ସେ ଯେଉଁ ସହଜ ଓ ସରଳ ଢଙ୍ଗରେ ସବୁ ପିଢ଼ିର ଦର୍ଶକଙ୍କୁ ହସାଇ ଆସିଛନ୍ତି ତାହା ତାଙ୍କୁ ଜଣେ ବିରଳ ପ୍ରତିଭା ଅଧିକାରୀ ବୋଲି ପ୍ରମାଣିତ କରିଥାଏ।

ଆକ୍ସନ୍ ହିରୋ
ଅମିତାଭ ବଚ୍ଚନ ଗୋଟିଏ ସମୟରେ ନିଜର ସାହସିକ ଷ୍ଟଣ୍ଟ୍‌ ଓ ଫାଇଟିଙ୍ଗ୍‌ ସହିତ ବଲିଉଡ୍‌ର ଆକ୍ସନ୍ ହିରୋମାନଙ୍କ ପାଇଁ ଏକ ନୂଆ ମାନଦଣ୍ଡ ନିର୍ଦ୍ଧାରଣ କରିଥିଲେ। ‘ଶୋଲେ’ରେ ଜୟ ତଥା ଅନ୍ୟାନ୍ୟ ଆକ୍ସନ୍‌ ଭର୍ତ୍ତି ସିନେମାରେ ସେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି ତାହା ଅନେକ କାଳ ପାଇଁ ଅନତିକ୍ରମଣୀୟ ରହିଥିଲା। ୧୯୮୨ରେ ‘କୁଲି’ର ଏକ ଫାଇଟିଙ୍ଗ୍‌ ଦୃଶ୍ୟର ସୁଟିଂ ବେଳେ ସେ ଗୁରୁତର ଆହତ ହେବା ଘଟଣା ଭାରତୀୟ ସିନେପ୍ରେମୀଙ୍କ ଲାଗି ଏକ ଅବିସ୍ମରଣୀୟ ମାନସିକ ଧକ୍କା ଥିଲା। ସୁଟିଂ ବେଳେ ବିପଦପୂର୍ଣ୍ଣ ଆହ୍ବାନକୁ ଗ୍ରହଣ କରିବାର ପ୍ରବୃତ୍ତି ଅମିତାଭଙ୍କ ଠାରେ ଆଜି ଯାଏଁ ବଜାୟ ରହିଛି। ଏବର୍ଷ ଆରମ୍ଭରେ ହାଇଦ୍ରାବାଦ୍‌ରେ ‘ପ୍ରୋଜେକ୍ଟ କେ’ର ଏକ ଆକ୍ସନ ଦୃଶ୍ୟ ସୁଟିଂ ବେଳେ ଅମିତାଭ ଆହତ ହୋଇଥିଲେ।

ଚରିତ୍ର-କୈନ୍ଦ୍ରିକ ଭୂମିକା
ଅମିତାଭ ‘ପା’ ପରି ଚଳଚ୍ଚିତ୍ରରେ ଜଟିଳ ତଥା ଅସାଧାରଣ ଚରିତ୍ରଗୁଡ଼ିକୁ ଯେଉଁଭଳି ଜୀବନ୍ତ କରିଛନ୍ତି ତାହା ଚଳଚ୍ଚିତ୍ର ଇତିହାସରେ ବିରଳ। ‘ପା’ରେ ସେ ଏକ ବିରଳ ଜେନେଟିକ୍ ବ୍ୟାଧିରେ ପୀଡ଼ିତ ଶିଶୁ ଭୂମିକାରେ ଅଭିନୟ କରି ସଭିଙ୍କୁ ଚକିତ କରିଦେଇଥିଲେ। ସେହିପରି ‘ବ୍ଲାକ୍’ରେ ସେ ଅଲଝାଇମର୍ସ ପୀଡ଼ିତ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ। ଏହି ଦୁଇ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ରୂପେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଚରିତ୍ର-କୈନ୍ଦ୍ରିକ କାହାଣୀ ପ୍ରତି ପ୍ରତିବଦ୍ଧତା ଜଣେ ଅଭିନେତା ଭାବରେ ତାଙ୍କର ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଥାଏ।

ପିତା ଭୂମିକା
‘ବାଗବାନ୍’, ‘କଭି ଖୁସି କଭି ଗମ୍‌’, ‘ମହୋବତେଁ’ ଭଳି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ପିତା ଭୂମିକାରେ ଅଭିନୟ କରି ଭାରତୀୟ ସମାଜରେ ପରିବାର ଓ ସମ୍ପର୍କର ଗୁରୁତ୍ୱକୁ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସବୁ ବୟସର ଦର୍ଶକ ତାଙ୍କ ଠାରେ ନିଜକୁ ଅଥବା ନିଜ ପିତାଙ୍କୁ ଦେଖିପାରିବା ଭାରତୀୟ ଦର୍ଶକଙ୍କ ଲାଗି ଏକ ସାଧାରଣ କଥା।

ଖଳନାୟକ
‘ଡନ୍’ ଓ ‘ଅଗ୍ନିପଥ’ ପରି ଚଳଚ୍ଚିତ୍ରରେ ଅମିତାଭ ଚମତ୍କାର ଭାବେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଭୟଙ୍କର ଉପସ୍ଥିତି ଓ ସଂଳାପ ଆବୃତ୍ତି ଯୋଗୁଁ ଖଳନାୟକ ଭୂମିକାଗୁଡ଼ିକ ବେଶ୍‌ ଜୀବନ୍ତ ମନେ ହୋଇଥାଏ। ‘ଅଗ୍ନିପଥ’ରେ ତାଙ୍କର ଅଭିନୟ ଏତେ ପ୍ରଭାବଶାଳୀ ଥିଲା ଯେ ତାଙ୍କୁ ଏଥିପାଇଁ ପ୍ରଥମ ଥର ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

 

ଚଳଚ୍ଚିତ୍ରରେ ସ୍ବରଦାନ
ଅମିତାଭଙ୍କ ଅଭିନୟ ବିଭବ ମଧ୍ୟରେ ତାଙ୍କର ବଳିଷ୍ଠ କଣ୍ଠସ୍ବରର ଯାଦୁ ଉଲ୍ଲେଖନୀୟ। ସେଥିପାଇଁ ସେ କେତେବେଳେ ବର୍ଣ୍ଣନାକାରୀ (ନ୍ୟାରେଟର), କେତେବେଳେ ପ୍ରଚ୍ଛଦପଟ୍ଟ ଗାୟକ ତ କେତେବେଳେ ଉପସ୍ଥାପକ ଭାବେ ପ୍ରଚୁର ଖ୍ୟାତି ଅର୍ଜନ କରିଛନ୍ତି। ବର୍ଣ୍ଣନାକାରୀ ଭାବେ ୧୯୭୭ରେ ସତ୍ୟଜିତ ରାୟଙ୍କ ‘ସତରଞ୍ଜ କେ ଖିଲାଡ଼ି’ ଓ ୨୦୦୧ରେ ଆଶୁତୋଷ ଗୋୱାରିକରଙ୍କ ‘ଲଗାନ’ ତାଙ୍କ କୃତିତ୍ବର ଉଜ୍ଜ୍ବଳ ସ୍ବାକ୍ଷର। ଏହା ବ୍ୟତୀତ ସେ ‘ଭୁବନ ସୋମ୍‌’, ‘ବାବର୍ଚ୍ଚି’, ‘ବାଳିକାବଧୂ’, ‘ତେରେମେରେ ସପ୍‌ନେ’, ‘ହେଲୋ ବ୍ରଦର’, ‘ଫୁନ୍‌ଶ…’, ‘ପରିଣୀତା’, ‘ମାର୍ଚ୍ଚ ଅଫ୍‌ ଦ ପେଙ୍ଗୁଇନ୍‌ସ’, ‘ଯୋଧା-ଆକବର’, ‘ସ୍ବାମୀ’, ‘ଚଜାର୍‌ଲଗାକେ…ହେୟା’, ‘ରା. ୱାନ୍‌’, ‘କାହାନୀ’, ‘କ୍ରିଶ୍ ୩’, ‘ମହାଭାରତ’, ‘କୋଚ୍ଚାଦାୟିୟାଁ’, ସିବିଆଇ ଡକୁମେଣ୍ଟାରି, ‘ଦ ଘାଜି ଆଟାକ୍‌’, ‘ଫିରଙ୍ଗି’ ଆଦି ଫିଲ୍ମ ଓ ଡକୁମେଣ୍ଟାରି ପାଇଁ ସ୍ବରଦାନ କରିଛନ୍ତି। ଏହା ବ୍ୟତୀତ ୧୯୭୯ରେ ‘ମି. ନଟବରଲାଲ’ ଓ ୧୯୮୭ରେ ‘କୌନ୍‌ ଜିତା କୌନ୍ ହାରା’ ପାଇଁ ପ୍ରଚ୍ଛଦପଟ୍ଟ ଗାୟନ କରିଛନ୍ତି।

 ପ୍ରସ୍ତୁତି: ବସନ୍ତରାଜ ସାହୁ




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button