ଓଡିଶା

ବନ୍ଧା ହେଲେ ତେଲ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ଵର, ୦୮/୧୦ : ବନ୍ଧା ହେଲେ ସୁବର୍ଣ୍ଣପୁର ତେଲ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ସୁବର୍ଣ୍ଣପୁର ତେଲ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ୪୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଜିତେନ୍ଦ୍ରଙ୍କ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲା।

ରେଡ୍ ବେଳେ ଜିତେନ୍ଦ୍ରଙ୍କ ଘରୁ ନଗଦ ୪ ଲକ୍ଷ ୮ ହଜାର ଟଙ୍କା ଜବତ ହୋଇଥିଲା।

ସୂଚନାନୁଯାୟୀ, ବକେୟା ବିଲ୍ ପାଇଁ ୪୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ତେଲ୍ ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଭିଜିଲାନ୍ସ ଜାଲରେ ପଡିଥିଲେ। ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ ବାସଭବନ, ପୁରୀ, ଭୁବନେଶ୍ୱର ଶୈଳଶ୍ରୀ ବିହାରସ୍ଥିତ ବାସଭବନ ସମେତ ମୋଟ୍ ୬ଟି ଠିକଣାରେ ଚଢ଼ଉ କରାଯାଇଛି । ଶୈଳଶ୍ରୀ ବିହାରସ୍ଥିତ ବାସଭବନରେ ଯାଞ୍ଚ ବେଳେ ନଗଦ ୨.୯ ଲକ୍ଷ ଟଙ୍କା ଜବତ କରାଯାଇଛି । ବଡ଼ମ୍ବାରେ ୧୮ ଏକର ପରିମିତ ଅଞ୍ଚଳରେ ବିଶାଳକାୟ ଫାର୍ମହାଉସ୍ ଠାବ କରାଯାଇଛି । ତଦନ୍ତ ଶେଷ ହୋଇ ନଥିବାରୁ ଯନ୍ତ୍ରୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ଜଣାପଡ଼ିନାହିଁ ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ନିର୍ମାଣ କାମ ଶେଷ ପରେ ଠିକାଦାର ଦେବରଞ୍ଜନ ତ୍ରିପାଠୀଙ୍କ ଲକ୍ଷାଧିକ ଟଙ୍କା ବକେୟା ବିଲ୍ ପଡ଼ିରହିଥିଲା । ଏହାକୁ ପାସ୍ କରିବା ଲାଗି ସେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଢ଼ୀଙ୍କ ପାଖକୁ ଯାଇଥିଲେ । ହେଲେ ଏଥିଲାଗି ନିର୍ବାହୀ ଯନ୍ତ୍ରୀ ୪୬ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ସୋମବାର ମଧ୍ୟାହ୍ନରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ି ବସିଥିଲା । ଏ ନେଇ ସମ୍ବଲପୁର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button