‘ଝିଅରେ ଏମିତି ବିବାହ କର ନାହିଁ… ଆମ ସମ୍ମାନ କଥା ଥରେ ଚିନ୍ତାକର’: ଫେରାର ଝିଅର ବାପା – Utkal Mail
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଔରେୟାରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥାନା ପରିସରରେ ଥିବା ମନ୍ଦିରରେ ପ୍ରେମିକ ଓ ପ୍ରେମିକା ବିବାହ କରୁଥିବା ବେଳେ ବାପା ଏହାକୁ ବିରୋଧ କରି କାନ୍ଦୁଥିଲେ। ପୁଲିସକୁ ଏହି ବିବାହ ଅଟକାଇ ଦେବା ପାଇଁ ବାରମ୍ବାର ଅନୁରୋଧ ବି କରୁଥିଲେ। ଏସବୁ ଦେଖି ବି ଝିଅ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମିକଙ୍କୁ ବିବାହ କରି ଦେବା ପରେ ବାପା ପୁଲିସକୁ ଦୋଷୀ ବୋଲି କହିଛନ୍ତି।
ଏହି ସମ୍ପୂର୍ଣ୍ଣ ଘଟଣା ଦିବିୟାପୁର କସୱେର ସଞ୍ଜୟ ନଗର ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ସବନମ ଓ ନିତିନ ଗତ କିଛିବର୍ଷ ହେବ ଉଭୟ ଉଭୟଙ୍କୁ ଭଲ ପାଇ ଆସୁଥିଲେ। ଦୁହେଁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଜାତି ଏକା ନଥିବାରୁ ପରିବାରଲୋକ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ।
ଘରଲୋକଙ୍କୁ ବହୁତ ବୁଝାଇଥିଲେ ସବନମ ଓ ନିତିନ। କିନ୍ତୁ ଏହା ସତ୍ତ୍ବେ ବି ପରିବାର ଲୋକ ସବନମ ଓ ନିତିନଙ୍କ ବିବାହ ଅନ୍ୟତ୍ର ଠିକ କରୁଥିବା ଜାଣି ଦୁହେଁ ଘରୁ ଫେରାର ହୋଇଯାଇଥିଲେ। କିଛିଦିନ ପରେ ଦୁହେଁ ଥାନାରେ ପହଞ୍ଚି ବିବାହ କରିବାକୁ ଚାହାଁନ୍ତି ବୋଲି ପୁଲିସକୁ କହିଥିଲେ। ଏହାପରେ ଥାନା ପରିସରରେ ଥିବା ଏକ ମନ୍ଦିରରେ ପୁଲିସ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ।
ତେବେ ଏହି ଖବର ଝିଅର ବାପାଙ୍କ ପାଖରେ ପହଞ୍ଚିବା ପରେ ସଙ୍ଗେସଙ୍ଗେ ସେ ଥାନାରେ ପହଞ୍ଚିଥିଲେ। ଆଉ ଝିଅର ଏହି ବିବାହକୁ ବିରୋଧ କରିଥିଲେ। ଏହି ବିବାହ ଅଟକାଇ ଦେବାକୁ ପୁଲିସକୁ ଅନୁରୋଧ କରିଥିଲେ। ସବନମ ଓ ନିତିନଙ୍କ ବିବାହ ବୟସ ହୋଇଥିବା ବେଳେ ଦୁହେଁ ବିବାହ ପାଇଁ ରାଜି ଥିବାରୁ ଏ ବିବାହକୁ ଅଟକା ଯାଇ ପାରିବ ନାହିଁ ବୋଲି ପୁଲିସ ଇନ୍ସପେକ୍ଟର ସୂଚନା ଦେଇଥିଲେ।