କ୍ରୀଡା

ଆଜି ହାଇଦ୍ରାବାଦରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, ଫେରିବେ କିଶନ, ସୂର୍ଯ୍ୟ

ହାଇଦ୍ରାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବୁଧବାର ଠାରୁ ଆରମ୍ଭ ହେଉଛି । ବିଶ୍ୱ ରେକର୍ଡ ଦ୍ୱିଶତକ ସତ୍ତ୍ୱେ ବାହାରେ ରହିବା ପରେ ଇଶାନ କିଶନ ଭାରତୀୟ ଏକାଦଶକୁ ଫେରିପାରନ୍ତି, ଯଦିଓ ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ପଡ଼ିପାରେ | ବାଂଲାଦେଶ ବିପକ୍ଷ ସିରିଜରେ ଦିନିକିଆ କ୍ରିକେଟ୍ ଇତିହାସର ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା କିଶନଙ୍କୁ ଶ୍ରୀଲଙ୍କା ବିପକ୍ଷରେ ସୁଯୋଗ ମିଳିନଥିଲା । କିଶନଙ୍କ ଅପେକ୍ଷା ଶୁବମାନ ଗିଲଙ୍କୁ ଅଗ୍ରାଧିକାର ଦିଆଯାଇଥିଲା, ଯିଏକି ଅଧିନାୟକ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିଥିଲେ । ତିନୋଟି ମ୍ୟାଚରେ ଗିଲ୍ ୭୦, ୨୧ ଓ ୧୧୬ ରନ୍ କରିଥିଲେ | ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ଯୋଡିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ବ୍ୟକ୍ତିଗତ କାରଣରୁ କେଏଲ୍ ରାହୁଲ ଏହି ସିରିଜ ପାଇଁ ଉପଲବ୍ଧ ନୁହଁନ୍ତି, ତେଣୁ କିଶନଙ୍କୁ ୱିକେଟ୍ କିପର ଦାୟିତ୍ୱ ଦିଆଯାଇପାରେ | ସେ ଏପର୍ଯ୍ୟନ୍ତ ଦଶଟି ଦିନିକିଆ ମଧ୍ୟରୁ ତିନୋଟିରେ ମଧ୍ୟକ୍ରମରେ ବ୍ୟାଟିଂ କରିଛନ୍ତି, ତେଣୁ ତାଙ୍କର ଏହି ସ୍ଥାନରେ ବ୍ୟାଟିଂ କରିବାର ଅଭିଜ୍ଞତା ରହିଛି। ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ କଭର ଭାବେ ରଖାଯାଇଥିବା ବେଳେ ଦଳର ଅନ୍ୟ ୱିକେଟ୍ କିପର କେ.ଏସ୍ ଭରତଙ୍କୁ ସୁଯୋଗ ମିଳିବା ସମ୍ଭବ ନୁହେଁ। ଚଳିତ ବର୍ଷ ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଆରମ୍ଭ ହୋଇଥିବା ବିଜୟ ଧାରାକୁ ଭାରତ ଜାରି ରଖିବାକୁ ଚାହିଁବ । ଶ୍ରୀଲଙ୍କା ବିପକ୍ଷରେ ତିନିଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ତଥା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗିଲ୍ ଓ ବିରାଟ କୋହଲିଙ୍କ ବ୍ୟତୀତ ରୋହିତ ମଧ୍ୟ ୮୩ ଓ ୪୨ ସ୍କୋର କରିଥିଲେ । କିନ୍ତୁ ସେ ଗୋଟିଏ ବି ଶତକ ହାସଲ କରିପାରି ନଥିଲେ। କୋହଲି ଲଗାତାର ଶତକ ମାରିଥିଲେ ଏବଂ ପୁରୁଣା ଫର୍ମକୁ ଫେରି ନ୍ୟୁଜିଲାଣ୍ଡ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି । ପିଠି ସମସ୍ୟା କାରଣରୁ ଶ୍ରେୟସ୍ ଆୟରଙ୍କୁ ସିରିଜରୁ ବାଦ୍ ଦିଆଯାଇଛି। ଏଭଳି ସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମିଡିଲ ଅର୍ଡରରେ ସୁଯୋଗ ପାଇବେ । ସୂର୍ଯ୍ୟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତି ଭାରତୀୟ ମିଡିଲ ଅର୍ଡରକୁ ମଜବୁତ କରିବ।

ରାହୁଲଙ୍କ ବ୍ୟତୀତ ଅକ୍ଷର ପଟେଲଙ୍କୁ ମଧ୍ୟ ବ୍ରେକ୍ ଦିଆଯାଇଛି । ଅକ୍ଷରଙ୍କ ସ୍ଥାନରେ ଶାହବାଜ ଅହମ୍ମଦ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ସମ୍ଭାବନା ରହିଛି । ଦେଖିବାକୁ ବାକି ରହିଲା ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଖେଳାଇବ ନା ୱାଶିଂଟନ୍ ସୁନ୍ଦରଙ୍କୁ ଏକ ସୁଯୋଗ ଦିଆଯାଇପାରିବ ? ଏପର୍ଯ୍ୟନ୍ତ ଭାରତ ଫିଙ୍ଗର ସ୍ପିନର ନତୁବା ରିଷ୍ଟ ସ୍ପିନରକୁ ପସନ୍ଦ କରିଛି ଯଥା ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଯିଏକି ଶ୍ରୀଲଙ୍କା ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ପାଞ୍ଚ ବର୍ଷ ପୂର୍ବ ଭଳି ଦୁହେଁ ଏକାଠି ଖେଳିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା। କାନ୍ଧ ଆଘାତ କାରଣରୁ ଚହଲ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ପରେ ଖେଳି ନଥିଲେ କିନ୍ତୁ ଏହି ସିରିଜ୍ ପାଇଁ ଉପଲବ୍ଧ ହେବେ | ଦ୍ରୁତ ବୋଲିଂ ବିଭାଗ ଦାୟିତ୍ବ ସିରାଜ, ମହମ୍ମଦ ଶାମି ଏବଂ ଉମ୍ରାନ ମଲିକଙ୍କ ଉପରେ ରହିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କେନ୍ ୱିଲିୟମ୍ସନ୍ ଏବଂ ଟିମ୍ ସାଉଦି ଭଳି ଷ୍ଟାର୍ ନାହାଁନ୍ତି । ଉଭୟଙ୍କୁ ଏହି ସିରିଜରୁ ଦାୟିତ୍ବ ଦିଆଯାଇଛି । ତଥାପି ନ୍ୟୁଜିଲାଣ୍ଡ ଦଳ ବହୁତ ଶକ୍ତିଶାଳୀ ମନେ ହେଉଛି | ଭାରତ ବିପକ୍ଷ ଶେଷ ଦିନିକିଆରେ କାମଚଳା ଅଧିନାୟକ ଟମ୍ ଲାଥାମ୍ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ପାକିସ୍ତାନକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ଦଳ ଉଚ୍ଚ ମନୋବଳ ନେଇ ଭାରତ ଆସିଛି।

ଭାରତ: ରୋହିତ ଶର୍ମା (କ୍ୟାପଟେନ), ଶୁବମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏସ୍ ଭରତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାରେ, ଉମ୍ରାନ ମଲିକ୍ ।

ନ୍ୟୁଜିଲାଣ୍ଡ: ଟମ୍ ଲାଥାମ୍ (ଅଧିନାୟକ), ଫିନ୍ ଆଲେନ୍, ଡଗ୍ ବ୍ରେସୱେଲ, ମାଇକେଲ ବ୍ରେସୱେଲ, ମାର୍କ ଚାପମାନ, ଡିଭନ୍ କନୱେ, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ଡାରିଲ୍ ମିଚେଲ, ହେନେରୀ ନିକୋଲସ୍, ଗ୍ଲେନ୍ ଫିଲିପ୍ସ, ମିଚେଲ ସାଣ୍ଟନର୍, ହେନେରୀ ସିପଲି, ଇଶ ସୋଧୀ, ବ୍ଲେୟାର ଟିକନର୍ ।

Related Articles

Leave a Reply

Your email address will not be published. Required fields are marked *

Back to top button