ଦଳ ବଦଳ କରିଥିବାରୁ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଘୋଷାରିଲେ ଦୁର୍ବୃର୍ତ୍ତ

ନନ୍ଦିଗ୍ରାମ: ଗୋକୁଳନଗର ଗ୍ରାମ ପଞ୍ଚାୟତର ପଞ୍ଚାନନତଳାରେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେବାରୁ କିଛି ଦୁର୍ବୃର୍ତ୍ତମାନେ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ଘୋଷାରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ନନ୍ଦିଗ୍ରାମରେ ବିଜେପି ବୁଥ୍ ସଭାପତି ତାପସ ଦାସଙ୍କୁ ଗିରଫ କରାଯାଇଛି।
ପୀଡ଼ିତାଙ୍କୁ ଭେଟିବା ପାଇଁ ଟିଏମ୍ସି ଏକ ପ୍ରତିନିଧି ଦଳ ପଠାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ତେବେ ପାରିବାରିକ କଳହରୁ ଘଟିଥିବା ହିଂସାକୁ ରାଜନୈତିକ ରଙ୍ଗ ଦେବାକୁ ଟିଏମ୍ସି ଏଭଳି ଷଡ଼ଯନ୍ତ୍ର କରିଥିବା ବିଜେପି କହିଛି। ଆହତ ମହିଳାଙ୍କୁ ନନ୍ଦିଗ୍ରାମ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତା ଅଭିଯୋଗ କରିଛନ୍ତି, ଶୁକ୍ରବାର ରାତିରେ ମୁଁ ମୋ ପୁଅ ଓ ଝିଅ ସହ ଘରେ ଥିଲି।
ପାଖାପାଖି ୩୦ରୁ ୪୦ ଜଣ ଲୋକ କବାଟ ଭାଙ୍ଗି ମୋତେ ଗାଁ ଭିତରକୁ ଟାଣି ଆଣି ଉଲ୍ଲଗ୍ନ କରି ମାଡ଼ ମାରିଥିଲେ। ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୁଲିସ ପହଞ୍ଚିବା ପରେ ସେମାନେ ଫେରାର ହୋଇଯାଇଥିଲେ।