ଓଡିଶା

ଲେମନ ଗ୍ରାସ୍‌ ଚାଷ ନାଁରେ ହରିଲୁଟ୍‌, ତଦନ୍ତ ଦାବି କଲେ ଗ୍ରାମବାସୀ

ମାଲକାନଗିରି : ଲୋକଙ୍କୁ ସ୍ଵାବଲମ୍ବୀ କରିବା ନେଇ ଲେମନ ଗ୍ରାସ୍ ଚାଷ ନାମରେ କୋଟି କୋଟି ଟଙ୍କା ଚଳୁ ନେଇ ହୋଇଛି ଅଭିଯୋଗ। ଏହାର ତଦନ୍ତ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ମାଲାକାନଗିରି ଆଇଟିଡିଏରେ ଏହି ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଲେମନ ଗ୍ରାସ୍ ପ୍ଲାଣ୍ଟେଶନ ସାଙ୍ଗକୁ ତେଲ ଉତ୍ପାଦନ କାମ ଆରମ୍ଭ ହୋଇଥିଲା।ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କୁ କାମ ଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା। ଏହି କ୍ରମରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଉଦୟଗିରି ଗାଁ ମୁଣ୍ଡରେ ୨ଟି ଲେମନ ଗ୍ରାସ ପ୍ଲାଣ୍ଟେଶନ ଧର୍ମକୁ ଆଖି ଠାର ଭଳି କରାଯାଇ ଥିଲା। ସେଠାରେ ନାମକୁ ମାତ୍ର ନାମଫଳକ ରହିଥିବା ବେଳେ ୱାର୍କ କୋଡ ନାହଁ କି ତାରିଖ ବି ଲେଖା ଯାଇ ନାହିଁ। ତେବେ ମନରେଗା ୱେବସାଇଟରୁ ମିଳି ଥିବା ତଥ୍ୟ ଅନୁସାରେ, ମାଥିଲି କର୍ତ୍ତନପାଲି ଉଦୟଗିରି ଗାଁରେ ୧୮ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚରେ ୫ ହେକ୍ଟର ଜମିରେ ୩ ଲକ୍ଷ ୧୨ ହଜାର ୫ ଶହ ଲେମନ ଗ୍ରାସ ଚାରା ଲଗାଯାଇ ଥିଲା।

କିନ୍ତୁ ପ୍ରକୃତ କ୍ଷେତ୍ରରେ ଏଠାରେ ନା ଅଛି ୫ହେକ୍ଟର ଜମି, ନା ଲଗା ଯାଇଛି ୩ ଲକ୍ଷରୁ ଉର୍ଦ୍ଧ୍ଵ ଚାରା। ପ୍ରାୟ ଏକ ହେକ୍ଟର ଜମିରେ ପ୍ରାୟ ୧୦ରୁ ୧୨ ହଜାର ଚାରା ଲଗାଯାଇ ଏହି ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଉ ଲେମନ ଗ୍ରାସ ତେଲ ପ୍ରକଳ୍ପ ଥରେ ଦୁଇ ଥର ଚାଲି ଅଚଳ ପଡିଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ଆଦିବାସୀଙ୍କ ଜୀବିକା ନାମରେ ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ଏହି ଲେମନ ଗ୍ରାସ ଚାଷ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତରେ ହୋଇଛି ନା ସେଥିରେ ବି ଦୁର୍ନୀତି ହୋଇଛି , ସେନେଇ ତଦନ୍ତ ଲାଗି ସାଧାରଣରେ ଦାବି ହୋଇଛି।

ୱେବସାଇଟର ତଥ୍ୟ ଅନୁସାରେ, ଗତ ୨ବର୍ଷରେ କେବଳ କର୍ତନପାଲି ପଞ୍ଚାୟତରେ ୩୨ଟି ଲେମନ ଗ୍ରାସ ପ୍ରକଳ୍ପ ହାତକୁ ନିଆ ଯାଇଛି ଏବଂ ତାହା ଚାଲୁ ମଧ୍ୟ ରହିଛି। ତେବେ କର୍ତନପାଲି ପଞ୍ଚାୟତରେ ପ୍ରାୟ ୬ଟି ଅଧପନ୍ତରିଆ ପ୍ରକଳ୍ପ ପରେ ଆଦୌ ଲେମନଗ୍ରାସ ଚାଷ ହୋଇ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ ୨ବର୍ଷରେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ୨୬କୋଟି ୮୯ଲକ୍ଷ ୨୨ ହଜାର ଟଙ୍କା ବିନିମୟରେ ୨୯୮ଟି ପ୍ରକଳ୍ପ କାମ ହାତକୁ ନିଆଯାଇ ଥିବା ବେଳେ ସମସ୍ତ ଛୋଟ ବଡ ପ୍ରକଳ୍ପକୁ ମିଶାଇ, ବର୍ତ୍ତମାନ ଯାଏ ୩୧୧୨ଟି ପ୍ରକଳ୍ପ ବାବଦକୁ ୬୨.୦୯ କୋଟି ଟଙ୍କା ଆଇଟିଡିଏ ଓ ଓଟିଏଲପି ଖର୍ଚ୍ଚ କରିଥିବା ଜଣା ପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button