ଦେଶ ବିଦେଶ

ମୋଦୀ ସରକାରଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶ୍ନବାଣ: ଚାଷୀଙ୍କ ସମସ୍ୟା ସମାଧାନ କରୁନାହଁ କାହିଁକି?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଚାଷୀଙ୍କ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦର ଶତ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି- ‘କୃଷି ମନ୍ତ୍ରୀ, ଆପଣଙ୍କ ପାଇଁ ପ୍ରତି ମୁହୂର୍ତ୍ତ ଗୁରୁତ୍ବପୂର୍ଣ୍ଣ। କୃଷକଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା କହିବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନି ? ପ୍ରତିଶ୍ରୁତି ପୂରଣ କରିବାପାଇଁ କ’ଣ କରିବାକୁ ପଡ଼ିବ ? ଗତବର୍ଷ ଆନ୍ଦୋଳନ ଚାଲିଥିଲା, ଚଳିତ ବର୍ଷ ମଧ୍ୟ ଅନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମୟ ବଦଳିଛି। କିନ୍ତୁ ଆମେ ଚାଷୀଙ୍କ ପାଇଁ କିଛି କରିପାରିନେ।’

ଧନଖଡ଼ କହିଛନ୍ତି, ପ୍ରଥମ ଥର ପାଇଁ ମୁଁ ଭାରତ ବଦଳିବା ଦେଖୁଛି। ପ୍ରଥମ ଥର ପାଇଁ ମୁଁ ହୃଦ୍‌ବୋଧ କରୁଛି ଯେ ବିକଶିତ ଭାରତ ଏବେ ଆମର ସ୍ବପ୍ନ ନୁହେଁ ବରଂ ଲକ୍ଷ୍ୟ ପାଲଟିଛି। ଭାରତ ବିଶ୍ବରେ ଏଭଳି ଶୀର୍ଷ ସ୍ଥାନରେ କେବେ ବି ପହଞ୍ଚି ନଥିଲା। ଆଜି ଯେତେବେଳେ ଭାରତ ବିକାଶର ନୂଆ ସୋପାନରେ ପହଞ୍ଚିଛି ମୋ କୃଷକମାନେ କାହିଁକି କଷ୍ଟ ପାଇବେ ? ଚାଷୀ ହିଁ ଦେଶରେ ସବୁଠାରୁ ବେଶୀ ଅସହାୟ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କଠାରୁ କୌଣସି ଉତ୍ତର ମିଳୁନି। ଉଲ୍ଲେଖଯୋଗ୍ୟ, ଗତକାଲି ଚାଷୀମାନେ ଦିଲ୍ଲୀ ଚଲୋ ପଦଯାତ୍ରା କରିଥିଲେ। ତେବେ ନଏଡ଼ା କର୍ତ୍ତୃପକ୍ଷଙ୍କ ନିକଟରୁ ଲିଖିତ ପ୍ରତିଶ୍ରୁତି ପାଇବାପରେ ଚାଷୀମାନେ ‌ସପ୍ତାହକ ପାଇଁ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button