ରାଜନୀତି

ରାହୁଲଙ୍କ ନେତୃତ୍ବ ନେଇ ଇଣ୍ଡି ମେଣ୍ଟ ଫାଟ ବଢ଼ିଲା: ଅଧିକ ନେତା ମମତାଙ୍କୁ ସମର୍ଥନ କଲେ

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଆର୍‌ଜେଡି ପ୍ରତିଷ୍ଠାତା ତଥା ମେଣ୍ଟର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବ ଆଜି କହିଛନ୍ତି, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ମେଣ୍ଟର ନେତୃ୍ତ୍ବ ନେବା ଉଚିତ ଏବଂ କଂଗ୍ରେସ ଏହାକୁ ବିରୋଧ କରିବାର କିଛି ଅର୍ଥ ନାହିଁ। ଆମେ ମମତା ବାନାର୍ଜୀଙ୍କୁ ସମର୍ଥନ କରିବୁ। ମମତାଙ୍କୁ ନେତୃତ୍ବ ମିଳିବା ଉଚିତ ବୋଲି ଲାଲୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରେ ମମତା ଇଣ୍ଡି ମେଣ୍ଟର ନେତୃତ୍ବ ନେବାପାଇଁ ସଙ୍କେତ ଦେଇଥିଲେ। ମମତା କହିଥିଲେ ତାଙ୍କୁ ଯଦି ଏଥିପାଇଁ ସୁଯୋଗ ମିଳେ ତେବେ ସେ ଏହାର ସଠିକ୍‌ ପରିଚାଳନା କରିପାରିବେ। ମମତା‌ଙ୍କୁ ପୂର୍ବରୁ ସମାଜବାଦୀ ପାର୍ଟି ମଧ୍ୟ ସମର୍ଥନ କରିଥିଲା। ତେବେ ଚଳିତ ଶୀତ ଅଧିବେଶନ ବେଳେ ଇଣ୍ଡି ମେଣ୍ଟର ନେତୃତ୍ବ ବଦଳିବା ନେଇ ପ୍ରଶ୍ନ ଉଠିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ସଂସଦରେ ମଧ୍ୟ ବିରୋଧୀ ଦଳର କାର୍ଯ୍ୟକଳାପରେ ତାଳମେଳ ରହୁନାହିଁ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳ ଗୃହରେ ଆଦାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିବାବେଳେ ଟିଏମ୍‌ସି କହିଥିଲା ଯେ ଏହା ଗୃହକାର୍ଯ୍ୟ ଜାରି ରଖିବାପାଇଁ ଚାହେ। କାରଣ ଗୃହକାର୍ଯ୍ୟ ଚାଲିଲେ ହିଁ ଟିଏମ୍‌ସି ବିଭିନ୍ନ ପ୍ରସଙ୍ଗ ଉଠାଇ ପାରିବ ବୋଲି କହିଥିଲା।

୨୦୨୪ ଲୋକସଭା ନିର୍ବାଚନ‌ରେ କଂଗ୍ରେସ ଦଳ ୯୯ ଲୋକସଭା ଆସନରେ ଜିତି ପ୍ରମୁଖ ବିରୋଧୀ ଦଳ ହୋଇପାରିଛି। କିନ୍ତୁ ହରିୟାଣା ଏବଂ ମହାରାଷ୍ଟ୍ରରେ ଦଳକୁ ଯେଉଁ ଝଟ୍‌କା ଲାଗିଛି ଏଥିଯୋଗୁଁ ବିରୋଧୀ ଶିବିରରେ ଫାଟ ସୃଷ୍ଟି ହୋଇଛି। ପୂର୍ବରୁ ଶିବସେନା (ୟୁବିଟି) ନେତା ସଂଜୟ ରାଉତ କହିଛନ୍ତି, ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ଜଣେ ପ୍ରମୁଖ ଅଂଶୀଦାର ହେବା ଉଚିତ। ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାର ମଧ୍ୟ ମମତାଙ୍କୁ ଏଥିପାଇଁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଇଣ୍ଡି ମେଣ୍ଟ ଗତବର୍ଷ ଗଠନ ହୋଇଥିଲା। ସମସ୍ତ ବିରୋଧୀ ଦଳ ଭିନ୍ନ ବିଚାରଧାରାକୁ ଭୁଲି ବିଜେପିକୁ ହରାଇବାପାଇଁ ଏକଜୁଟ୍‌ ହେବାକୁ ନିଷ୍ପତ୍ତି ନେବାପରେ ଇଣ୍ଡି ‌ମେଣ୍ଟ ଗଠନ ହେଲା।

ସଂସଦକୁ ‘ପିଏମ୍‌-ଆଦାନୀ’ ବ୍ୟାଗ୍‌ ଆଣିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ସଂସଦକୁ ଏକ ଅସାଧାରଣ ବ୍ୟାଗ୍‌ ଆଣି ଆସିଛନ୍ତି। ପ୍ରିୟଙ୍କା ଧରିଥିବା ବ୍ୟାଗ୍‌ରେ ‌ଗୋଟିଏ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କର ଫଟୋ ଥିବାବେଳେ ଅପର ପାର୍ଶ୍ବରେ ‘ମୋଦୀ-ଆଦାନୀ ଭାଇ ଭାଇ’ ସ୍ଲୋଗାନ୍‌ ଲେଖା ଅଛି। ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କର ଏହି ବ୍ୟାଗ୍‌ ଦେଖି କହିଥିଲେ ଏହା ଖୁବ୍‌ ସୁନ୍ଦର ହୋଇଛି। ରାହୁଲ ପ୍ରଥମେ ବ୍ୟାଗ୍‌ର ଫ୍ରଣ୍ଟ୍‌ ଡିଜାଇନ୍‌ ଦେଖିଥିଲେ। ଏଥିରେ ମୋଦୀ – ଆଦାନୀଙ୍କ ଫଟୋ ଥିଲା। ରାହୁଲ ଏହାପରେ ବ୍ୟାଗ୍‌ର ଆରପଟ ଓଲଟାଇ ଦେଖିଥିଲେ ଯେଉଁଥିରେ ଲେଖାଥିଲା, ‘ ମୋଦୀ ଆଦାନୀ ଭାଇ ଭାଇ’।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button