ମୋଦୀ-ରାହୁଲ ମୁହଁାମୁହିଁ: ‘ଦେଶକୁ ଜେଲ୍ରେ ପରିଣତ କରିଥିଲା କଂଗ୍ରେସ’

ନୂଆଦିଲ୍ଲୀ: ୧୯୭୫ରେ ଜରୁରିକାଳୀନ ପରିସ୍ଥିତି ଲାଗୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ୨୫ ବର୍ଷ ପୂରିବା ବେଳେ ସମ୍ବିଧାନକୁ ଭାଙ୍ଗି ଦିଆଯାଇଥିଲା। ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ସମସ୍ତ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଇଥିଲା ଏବଂ ଦେଶକୁ ଜେଲରେ ପରିଣତ କରାଯାଇଥିଲା ବୋଲି ମୋଦୀ ଲୋକସଭାରେ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଉପରେ ଦୁଇଦିନିଆ ବିତର୍କରେ ଭାଗ ନେଇ କହିଛନ୍ତି।
ଦେଶରେ ଜରୁରିକାଳୀନ ସ୍ଥିତି ଲାଗୁ କରି ନାଗରିକଙ୍କ ସମସ୍ତ ଅଧିକାର ଛଡ଼ାଇ ନିଆଯାଇଥିଲା ଏବଂ ଗଣମାଧ୍ୟମ ଉପରେ କଟକଣା ଲଗାଯାଇଥିଲା। ଏହି ଦାଗକୁ କଂଗ୍ରେସ କେବେ ବି ଲିଭାଇପାରିବ ନାହିଁ। ଗାନ୍ଧୀ ପରିବାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ସମ୍ବିଧାନକୁ ଆଘାତ ଦେବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଗୋଟିଏ କଂଗ୍ରେସ ପରିବାର ନିରବଚ୍ଛିନ୍ନ ଭାବେ ଭୁଲ୍ ଚିନ୍ତାଧାରା, ଭୁଲ୍ କାର୍ଯ୍ୟ ଓ ଭୁଲ୍ ନୀତି ଆପଣାଇଛି। ଗାନ୍ଧୀ ପରିବାରର ପ୍ରତ୍ୟେକ ପିଢ଼ି ସମ୍ବିଧାନକୁ ଆକ୍ରମଣ କରିଛନ୍ତି। ସମ୍ବିଧାନ ପରିବର୍ତ୍ତନର ମଞ୍ଜି ଜବାହରଲାଲ ନେହରୁ ବୁଣିଥିଲେ।
ଇନ୍ଦିରା ଗାନ୍ଧୀ ତାହାକୁ ଅନୁସରଣ କରିଥିଲେ। ଇନ୍ଦିରା ନ୍ୟାୟପାଳିକାର ଡେଣା କାଟି ଦେଇଥିଲେ। ଏପରିକି ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ସମ୍ବିଧାନ ଉପରେ ଆକ୍ରମଣ ଅବ୍ୟାହତ ରଖିଥିଲେ। ଶାହା ବାନୋ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଅକାମୀ କରିବା ପାଇଁ ସମ୍ବିଧାନ ଉପରେ ଆକ୍ରମଣ କରିଥିଲେ। ଉପା ସରକାର ଅମଳରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଜାତୀୟ ଉପଦେଷ୍ଟା ପରିଷଦକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ରଖାଯାଇଥିଲା। ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହାର ଅଧ୍ୟକ୍ଷ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଏହି ଅଣସାମ୍ବିଧାନିକ ସଂସ୍ଥାକୁ ଲଦି ଦିଆଯାଇଥିଲା। ରାହୁଲ ଗାନ୍ଧୀଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ କହିଥିଲେ ଜଣେ ଉଦ୍ଧତ ନେତା କ୍ୟାବିନେଟ୍ ନିଷ୍ପତ୍ତିକୁ ଚିରି ଦେଇଥିଲେ। କଂଗ୍ରେସ ଶାସନର ୬୦ ବର୍ଷରେ ସମ୍ବିଧାନକୁ ୭୫ ଥର ବଦଳାଯାଇଛି ବୋଲି ମୋଦୀ କହିଛନ୍ତି।
ମୋଦୀ କହିଥିଲେ, ଭାରତର ଗଣତନ୍ତ୍ର, ଗଣତାନ୍ତ୍ରିକ ଅତୀତ ଅତ୍ୟନ୍ତ ସମୃଦ୍ଧ। ସେଥିପାଇଁ ଆଜି ଭାରତ ଗଣତନ୍ତ୍ରର ଜନନୀ ଭାବରେ ପରିଚିତ। ଆମେ କେବଳ ଏକ ବୃହତ୍ ଗଣତନ୍ତ୍ର ନୁହେଁ ବରଂ ଗଣତନ୍ତ୍ରର ମା’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସମ୍ବିଧାନ ନିର୍ମାତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ଦେଶର ମହାନ ପରମ୍ପରା, ସଂସ୍କୃତି ଓ ମହାନ ଐତିହ୍ୟରେ ବିଶ୍ୱାସ କରୁଥିଲେ। ସମ୍ବିଧାନ ଦ୍ୱାରା ମହିଳାମାନଙ୍କୁ ମତଦାନ ଅଧିକାର ଦିଆଯାଇଛି ବୋଲି ମୋଦୀ ଉଲ୍ଲେଖ କରି କହିଛନ୍ତି ଯେ ଦେଶ ଏବେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଦେଖୁଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ୧୧ଟି ସଂକଳ୍ପର ଅବତାରଣା କରିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଉଭୟ ସରକାର ଏବଂ ନାଗରିକ ସେମାନଙ୍କ ଦାୟିତ୍ବ ଠିକ୍ ଭାବେ ପାଳନ କରିବା, ସବୁ ଅଞ୍ଚଳ ଏବଂ ସବୁ ସମାଜର ବିକାଶକୁ ଅଗ୍ରାଧିକାର ଦେବା (ସବ୍କା ସାଥ୍ ସବ୍କା ବିକାଶ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା) ଆଦି।
ଗାନ୍ଧୀ ପରିବାରକୁ ଟାର୍ଗେଟ୍ କଲେ
ସମ୍ବିଧାନକୁ ୨୫ ବର୍ଷ ପୂରିବା ବେଳେ ସମ୍ବିଧାନକୁ ଭଙ୍ଗା ଯାଇଥିଲା
ନାଗରିକଙ୍କ ଅଧିକାରକୁ ଛଡ଼ାଇ ନିଆଯାଇଥିଲା
‘କେନ୍ଦ୍ର ଦେଶର ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦେଉଛି’
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ସମ୍ବିଧାନ ବିତର୍କ ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ବିଜେପି ‘ମନୁସ୍ମୃତିକୁ ସମ୍ବିଧାନ କରିବା ଉପରେ’ ବିଚାର କରୁଛି ବୋଲି ଅଭିଯୋଗ କରିଛନ୍ତି। ସେ ଏକଲବ୍ୟ ଘଟଣା ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ଶାସନ ମଧ୍ୟରେ ସମାନ୍ତରାଳ ଚିତ୍ର ଆଙ୍କିଥିଲେ ଏବଂ ଦାବି କରିଥିଲେ ଯେ କେନ୍ଦ୍ର ‘ଦେଶର ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦେଉଛି’। ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଉପରେ ବିତର୍କ ସମୟରେ ଗୃହକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ମହାଭାରତର ଏକ ଉଦାହରଣ ଦେଇ କହିଛନ୍ତି ଯେ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଆଙ୍ଗୁଠିକୁ ଗୁରୁଦକ୍ଷିଣା ଭାବେ ମାଗିଥିଲେ। ସେଠାରେ ଜଣେ ବାଳକ (ଏକଲବ୍ୟ) ତପସ୍ୟା କରିଥିଲେ, ସକାଳୁ ଧନୁ-ତୀର ଧରି ଉଠିଥିଲେ। ‘ତପସ୍ୟା ମତଲବ ଶରୀର ମେଁ ଗର୍ମି ପୈଦା କରନା’ (ତପସ୍ୟା ଅର୍ଥ ଶରୀରରେ ଉତ୍ତାପ ସୃଷ୍ଟି କରିବା) ବୋଲି ସେ କହିଥିଲେ, ଯାହାକୁ ନେଇ ଗୃହରେ ହାସ୍ୟରୋଳ ଉଠିଥିଲା। ରାହୁଲ କହିଥିଲେ, ଯେମିତି ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଆଙ୍ଗୁଠି କାଟିଥିଲେ, ଆପଣ (ସରକାର) ସେମିତି ଦେଶର ଯୁବବର୍ଗଙ୍କ ଆଙ୍ଗୁଠି କାଟିଛନ୍ତି। ଏହି ମନ୍ତବ୍ୟକୁ ଶାସକ ଦଳ ତୀବ୍ର ସମାଲୋଚନା କରିବା ସହ ରାହୁଲ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।
ଲୋକସଭାରେ ଏକଲବ୍ୟ ପ୍ରସଙ୍ଗ ଉଠାଇଲେ
ଗୃହରେ ବୀର ସାବରକରଙ୍କ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଦାବି କରିଛି ଯେ ସ୍ୱାଧୀନତା ସଂଗ୍ରାମୀ କହିଥିଲେ ଭାରତର ସମ୍ବିଧାନରେ ଭାରତୀୟ ବୋଲି କିଛି ନାହିଁ। ମନୁସ୍ମୃତି ହେଉଛି ସେହି ଶାସ୍ତ୍ର ଯାହା ଆମ ହିନ୍ଦୁ ରାଷ୍ଟ୍ର ପାଇଁ ବେଦ ପରେ ସବୁଠାରୁ ଅଧିକ ପୂଜାଯୋଗ୍ୟ ଗ୍ରନ୍ଥ ଯାହା ଆମର ପ୍ରାଚୀନ ସଂସ୍କୃତି, ରୀତିନୀତି, ଚିନ୍ତାଧାରା ଓ ଅଭ୍ୟାସର ଆଧାର ପାଲଟିଛି। ଶତାବ୍ଦୀ ଧରି ଏହି ପୁସ୍ତକ ଆମ ଦେଶର ଆଧ୍ୟାତ୍ମିକ ଯାତ୍ରାକୁ ନିୟନ୍ତ୍ରିତ କରିଛି। ଆଜି ମନୁସ୍ମୃତି ହିଁ ଆଇନ। ଏହା ହେଉଛି ସାବରକରଙ୍କ ଶବ୍ଦ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ସାବରକରଙ୍କ ବୟାନ ସହ ଦଳୀୟ ନେତାମାନେ ସହମତ କି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏକ୍ସରେ ଇନ୍ଦିରା ଗାନ୍ଧୀଙ୍କ ସାବରକରଙ୍କ ବିଷୟରେ ଲେଖିଥିବା ଚିଠିକୁ ସେୟାର କରିଛନ୍ତି, ଯେଉଁ ଚିଠିରେ ଇନ୍ଦିରାଜୀ ସାବରକରଙ୍କୁ ଭାରତର ଯୋଗ୍ୟ ବୀର ସନ୍ତାନ ବୋଲି ଉଲ୍ଲେଖ କରିବା ସହ ତାଙ୍କର ଜନ୍ମଶତାବ୍ଦୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ।
ରାହୁଲ ଗାନ୍ଧୀ ପୁଣି ଥରେ ନିମ୍ନ ସଦନରେ ଆଦାନୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ସରକାର ଶିଳ୍ପପତିଙ୍କୁ ବିଭିନ୍ନ କ୍ଷେତ୍ର ହସ୍ତାନ୍ତର କରି ଯୁବକମାନଙ୍କ ଆଙ୍ଗୁଠି କାଟି ଦେଉଛନ୍ତି। ଆଦାନୀଙ୍କୁ ଧରାବି ହସ୍ତାନ୍ତର କରି ଆପଣ ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଆଙ୍ଗୁଠି କାଟି ଦେଇଥିଲେ। ଯେତେବେଳେ ଆପଣ ଭାରତର ବନ୍ଦର, ବିମାନବନ୍ଦର ଓ ପ୍ରତିରକ୍ଷା ଉଦ୍ୟୋଗକୁ ଆଦାନୀକୁ ହସ୍ତାନ୍ତର କରନ୍ତି, ସେତେବେଳେ ଆପଣ ସଚ୍ଚୋଟତାର ସହ କାର୍ଯ୍ୟ କରୁଥିବା ଭାରତର ସମସ୍ତ ଫେୟାର ପ୍ଲେ ବ୍ୟବସାୟର ଆଙ୍ଗୁଠି କାଟି ଦିଅନ୍ତି ବୋଲି ରାହୁଲ କହିଛନ୍ତି।