ବ୍ୟବସାୟ

ମୁଣ୍ଡପିଛା ଆୟରେ ଭାରତର ସ୍ଥାନ ୧୪୨: ବିନା ସମାନତାରେ ଅଭିବୃଦ୍ଧି ନିରନ୍ତର ନୁହେଁ – Utkal Mail


ହାଇଦ୍ରାବାଦ: ଭାରତ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ନିଶ୍ଚିତଭାବେ ଉଲ୍ଲେଖନୀୟ ସଫଳତା। କିନ୍ତୁ ଭାରତୀୟଙ୍କ ମୁଣ୍ଡପିଛା ବର୍ତ୍ତମାନ ଯେଉଁ ସ୍ତରରେ ରହିଛି ତାହାକୁ ବଢ଼ାଇବାକୁ ହେଲେ ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରିଷଦର ପୂର୍ବତନ ଅଧ୍ୟକ୍ଷ ସି ରଙ୍ଗରାଜନ ଆଜି ଆଇସିଏଫଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି।

କୋଭିଡ-୧୯ ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଏହାର ଭବିଷ୍ୟତ ବିକାଶକୁ ନେଇ ସ୍ପଷ୍ଟ ନକ୍ସା ପ୍ରସ୍ତୁତ କରିବାକୁ ହେବ। ଭାରତର ପ୍ରଥମ କାର୍ଯ୍ୟ ଅଭିବୃଦ୍ଧି ହାରକୁ ବଢ଼ାଇବା। ଭାରତ ଏବେ ପଞ୍ଚମ ବୃହତ୍‌ ଅର୍ଥନୀତି ହୋଇଥିବା ବିଷୟ ଉଲ୍ଲେଖ କରି ରଙ୍ଗରାଜନ କହିଛନ୍ତି ଭାରତୀୟଙ୍କ ମୁଣ୍ଡପିଛା ଆୟକୁ ଦେଖିଲେ ଭିନ୍ନ କାହାଣୀ ସାମ୍ନାକୁ ଆସୁଛି। ୨୦୨୦ରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ଭାରତର ସ୍ଥାନ ୧୯୭ଟି ଦେଶ ମଧ୍ୟରେ ୧୪୨ତମ ସ୍ଥାନରେ ରହିଥିଲା। ଏଥିରୁ ସ୍ପଷ୍ଟ ଯେ ‌ଆମକୁ କେତେ ଦୂର ଯାତ୍ରା କରିବାକୁ ହେବ। ତେଣୁ ବର୍ତ୍ତମାନର ମୁଣ୍ଡପିଛା ଆୟକୁ ଦେଖିଲେ ଆମ ପାଖରେ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହାସଲ ଛଡ଼ା ଅନ୍ୟ କୌଣସି ବାଟ ନାହିଁ। ସେ କହିଛନ୍ତି, ହିସାବ ଅନୁଯାୟୀ ଆସନ୍ତା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତର ଅଭିବୃଦ୍ଧି ଯଦି ୭ ପ୍ରତିଶତରୁ ଅଧିକ ରହେ ତା’ହେଲେ ଭାରତୀୟ ଅର୍ଥନୀତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ଏବଂ ଭାରତ ପ୍ରାୟତଃ ବିକଶିତ ଅର୍ଥନୀତିର ମାନ୍ୟତା ପାଇପାରିବ।

ଅର୍ଥନୀତିର ବର୍ଦ୍ଧିତ ଅଭିବୃଦ୍ଧି ଦ୍ବାରା ନିଯୁକ୍ତି ସୃଷ୍ଟି ହେବା ଆବଶ୍ୟକ। ବିନା ଅଭିବୃଦ୍ଧିରେ ନିଯୁକ୍ତି ବୃଦ୍ଧି ମଧ୍ୟ ସମ୍ଭବ ନୁହେଁ। ଏଥିପାଇଁ ଆମକୁ ଅତିକମ୍‌ରେ ୭ ପ୍ରତିଶତ ଅଭିବୃଦ୍ଧି ବଜାୟ ରଖିବାକୁ ହେବ ବୋଲି ରଙ୍ଗରାଜନ କହିଛନ୍ତି। ଦେଶର ଅଭିବୃଦ୍ଧି ବହୁବିଧ ହେବା ଆବଶ୍ୟକ। ଏଥିସହିତ ରପ୍ତାନି ଏବଂ ଉତ୍ପାଦନ କ୍ଷେତ୍ରର ପ୍ରଦର୍ଶନ ବି ଭଲ ରହିବା ଆବଶ୍ୟକ। ସମାନତା ନଆସିଲେ ଅଭିବୃଦ୍ଧିକୁ କାଏମ ରଖିବା ସମ୍ଭବପର ନୁହେଁ ବୋଲି ସେ ମତ ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button