ଦେଶ ବିଦେଶ

ପହଲଗାମ ଆକ୍ରମଣ: ଆତଙ୍କୀଙ୍କ ଫଟୋ, ସ୍କେଚ୍‌ ଜାରି, ଦୂରରୁ ସ୍ନାଇପର୍‌ ବି ଗୁଳିମାଡ଼ କରିଥିଲେ

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକା ଏବେ ପର୍ଯ୍ୟଟକଙ୍କ ରକ୍ତ‌ରେ ଲାଲ ହୋଇଯାଇଛି। ମଙ୍ଗଳବାର ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ  ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ବଦ୍ଧପରିକର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।   ଅନ୍ୟପକ୍ଷରେ ସୁରକ୍ଷା ଏଜେନ୍ସିମାନେ କଶ୍ମୀରର ପହଲଗାମ ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଫଟୋ ଓ ସ୍କେଚ୍ ଜାରି କରିଛନ୍ତି। ଫଟୋରେ ଥିବା ଆତଙ୍କବାଦୀଙ୍କ ନାମ ଜଣା ଜଣାପଡ଼ିନଥିବା ବେଳେ ସ୍କେଚ୍‌ ଜାରି ହୋଇଥିବା ୩ ଆତଙ୍କବାଦୀଙ୍କ ନାମ ଆସିଫ୍ ଫୁଜି, ସୁଲେମାନ ଶାହ ଓ ଅବୁ ତଲହା ବୋଲି ଜଣାପଡ଼ିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି)ର ଏକ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ବୋଲି କୁହାଯାଉଥିବା ଏହି ଆକ୍ରମଣକାରୀମାନେ ପହଲଗାମର ଲୋକପ୍ରିୟ ବୈସାରଣ ଘାଟିରେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଛଦ୍ମ ପୋଷାକ ଓ କୁର୍ତା-ପାଇଜାମା ପିନ୍ଧି ୫ରୁ ୭ ଜଣ ଆତଙ୍କବାଦୀ ଉପତ୍ୟକା ଆଖପାଖ ଘଞ୍ଚ ପାଇନ ଜଙ୍ଗଲରୁ ବୈଶାରଣ ଘାଟିକୁ ଆସି ଏକେ-୪୭ରେ ଗୁଳି ଚଳାଇଥିଲେ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର କିଛି ଦିନ ପୂର୍ବରୁ ଉପତ୍ୟକାରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ଆତଙ୍କବାଦୀମାନେ ଏହି ଗୋଷ୍ଠୀରେ ସାମିଲ ଥିଲେ। ଗୁଇନ୍ଦା ଏଜେନ୍ସିମାନେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ସୈଫୁଲ୍ଲା କସୁରୀ ଓରଫ ଖାଲିଦକୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରିଛନ୍ତି। ଜଙ୍ଗଲର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ  ଅଭିଯାନ ଆରମ୍ଭ କରିବା ସହ ହେଲିକପ୍ଟର ମୁତୟନ କରିଛି।
ପ୍ରାଥମିକ ଫରେନସିକ୍ ବିଶ୍ଳେଷଣ ଏବଂ ବଞ୍ଚିଥିବା ଲୋକଙ୍କ ସାକ୍ଷ୍ୟ ଅନୁଯାୟୀ, ଆତଙ୍କବାଦୀମାନେ ସାମରିକ ମାନର ଅସ୍ତ୍ରଶସ୍ତ୍ର ଓ ଉନ୍ନତ ଯୋଗାଯୋଗ ଉପକରଣ ବ୍ୟବହାର କରିଥିଲେ, ଯାହା ବାହ୍ୟ ଲଜିଷ୍ଟିକ୍ ସହାୟତାକୁ ସୂଚାଇଥାଏ। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଆତଙ୍କବାଦୀମାନେ ବଡି କ୍ୟାମ୍ ଓ ହେଲମେଟ୍ ମାଉଣ୍ଟେଡ୍ କ୍ୟାମେରା ପିନ୍ଧି ପୂରା ଘଟଣାକ୍ରମକୁ ରେକର୍ଡ କରିଥିଲେ। ଆକ୍ରମଣକାରୀମାନେ ପୂରା ପ୍ରସ୍ତୁତି ସହ ଆସି ଶୁଖିଲା ଫଳ ଓ ଔଷଧ ମହଜୁଦ ରଖିଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପହଲଗାମର ପ୍ରାଥମିକ ସର୍ଭେ ମଧ୍ୟ କରିଥିଲେ।  ଦୁଇଜଣ ଆତଙ୍କବାଦୀ ଦୁଇ ଦିନ ସର୍ଭେ କରିଥିବା ଜଣାପଡ଼ିଛି।

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଧିକରୁ ଅଧିକ ଜୀବନହାନି ଘଟାଇବା ପାଇଁ ଏହି ଆକ୍ରମଣ ଯୋଜନାବଦ୍ଧ ଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଏହି ଆକ୍ରମଣରେ ଉଭୟ ପାକିସ୍ତାନୀ ଓ ସ୍ଥାନୀୟ କଶ୍ମୀର ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ସୂତ୍ରରୁ ଜଣାପଡ଼ିଛି। ପାକ୍‌ ଆତଙ୍କୀଙ୍କୁ ସ୍ଥାନୀୟ ସହଯୋଗୀମାନେ ସାହାଯ୍ୟ କରିଥିଲେ, ଯେଉଁମାନେ ଆକ୍ରମଣ କରିବା ପୂର୍ବରୁ ଅଞ୍ଚଳର ବ୍ୟାପକ ଅନୁଧ୍ୟାନ କରିଥିଲେ।

ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ, ଏହି ଅଞ୍ଚଳରେ ଯଥେଷ୍ଟ ସୁରକ୍ଷା ଅଭାବରୁ ଆତଙ୍କବାଦୀମାନେ ବିଶେଷ ଭାବରେ ବୈସାରଣକୁ ଆକ୍ରମଣ ପାଇଁ ବାଛିଥିଲେ। ପହଲଗାମଠାରୁ ପ୍ରାୟ ୬.୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁର୍ଗମ ସ୍ଥାନରେ ମାଟି ରାସ୍ତା ଦେଇ କେବଳ ପାଦରେ କିମ୍ବା ଘୋଡ଼ାଗାଡ଼ି (ଟାଙ୍ଗା)ରେ ଯାତ୍ରା ସମ୍ଭବ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବ ଏବଂ ଅଧିକ ମୃତାହତ ହେବା  ସମ୍ଭାବନା ଥିବାରୁ ଆତଙ୍କବାଦୀମାନେ ଏହାକୁ ବାଛିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଏକାଠି କରି ପୁରୁଷ ଓ ମହିଳା ଗୋଷ୍ଠୀରେ ବିଭକ୍ତ କରି ଗୁଳି ଚଳାଇବା ପୂର୍ବରୁ ସେମାନଙ୍କ ପରିଚୟ ନିଶ୍ଚିତ କରିଥିଲେ। ୩ରୁ ୪ ଜଣ ଆତଙ୍କବାଦୀ ଏକେ-୪୭ ରାଇଫଲରେ ନିକଟରୁ ଆଖିବୁଜା ଗୁଳି ଚଳାଇଥିବା ବେଳେ କିଛି ଦୂରରୁ ସ୍ନାଇପରମାନେ ଗୁଳିମାଡ଼ କରିଥିଲେ। ସହାୟତା ପହଞ୍ଚିବା ପୂର୍ବରୁ ଅତ୍ୟଧିକ ରକ୍ତ ସ୍ରାବରୁ ଅନେକଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ପୂର୍ବରୁ ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିଲେ। ସ୍ଥାନୀୟ ଆତଙ୍କବାଦୀ ତଥା ସ୍ଲିପର ଏଜେଣ୍ଟଙ୍କ ସହାୟତାରେ ଆକ୍ରମଣକାରୀମାନେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିଥାଇପାରନ୍ତି ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି।  ଏହି ଅଞ୍ଚଳରେ ସକ୍ରିୟ ମୋବାଇଲ ନମ୍ବର ସମ୍ପର୍କରେ ପୁଲିସ ଟେଲିକମ୍ କମ୍ପାନିମାନଙ୍କଠାରୁ ବିବରଣୀ ମାଗୁଛି। ବୈସାରଣ ନିକଟରେ ଅନେକ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ମୃତକଙ୍କ ଶରୀରକୁ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button