ଫେରିନି ୧୪ ହଜାର କୋଟିର ୨ ହଜାର ଟଙ୍କିଆ: ଅକ୍ଟୋବର ୭ ଯାଏଁ ବଢ଼ିଲା ଅବଧି – Utkal Mail
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ସୁବିଧା ପାଇବେ। ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଥିଲା। ସେଥିରୁ ୩.୪୨ ଲକ୍ଷ କୋଟି ଟଙ୍କା ସେପ୍ଟେମ୍ବର ୨୯ ସୁଦ୍ଧା ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଆସିଛି। ଅର୍ଥାତ୍ ୦.୧୪ ଲକ୍ଷ ବା ୧୪ ହଜାର କୋଟି ଟଙ୍କା ବର୍ତ୍ତମାନ ଫେରିନାହିଁ। ପ୍ରତିଶତ ହିସାବରେ ଦେଖିଲେ ୨୦୨୩ ମେ’ ୧୯ ସୁଦ୍ଧା ଯେତିକି ୨୦୦୦ ଟଙ୍କିଆ ନୋଟ ପ୍ରଚଳନରେ ଥିଲା ସେଥିରୁ ୯୬ ପ୍ରତିଶତ ପ୍ରତ୍ୟାବର୍ତ୍ତନ ହୋଇଛି।
ମେ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାକୁ ବ୍ୟାଙ୍କରେ ଜମା ଏବଂ ବଦଳ କରିବା ଲାଗି ସୁଯୋଗ ଦିଆଯାଇଥିଲା। କିନ୍ତୁ ଲୋକଙ୍କୁ ତତ୍କାଳ ୨୦୦୦ ଟଙ୍କା ନଦେବା ପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିଥିଲେ। ସେତେବେଳେ ପ୍ରଚଳନରେ ଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ କରି ଦିଆଯାଇଥିଲା। ହଠାତ୍ ଏତେସଂଖ୍ୟକ ନୋଟ ପ୍ରତ୍ୟାହାର ଯୋଗୁଁ ଦେଶରେ ଟଙ୍କା ଅଭାବକୁ ତୁରନ୍ତ ପୂରଣ କରିବା ପାଇଁ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇ ବଜାରକୁ ଛଡ଼ାଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଛପାକୁ ବନ୍ଦ କରି ଦିଆଯାଇଥିଲା। ଆଉ ଏବେ ଏହି ଟଙ୍କାକୁ ପ୍ରଚଳନରେ ନରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବଦଳ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଅକ୍ଟୋବର ୮ରୁ କିଭଳି ଏହି ନୋଟକୁ ଜମା କରିହେବ ବା ବଦଳାଇ ହେବ ସେ ସଂପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେଗୁଡ଼ିକ ହେଲା ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ବଦଳାଇ ହେବ। ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ଲୋକମାନେ ଚାହିଲେ ଯେତେ ପରିମାଣର ୨୦୦୦ ଟଙ୍କିଆ ନୋଟ୍ ଦାଖଲ କରିପାରିବେ କିନ୍ତୁ ତାହାକୁ ଦାଖଲକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଦେଶ ଭିତରର କୌଣସି ବ୍ୟକ୍ତି ବା ସଂସ୍ଥା ୧୯ଟି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଠିକଣାରେ ଡାକ ଜରିଆରେ ୨୦୦୦ ଟଙ୍କିଆ ନୋଟ ପଠାଇ ପାରିବେ ଯାହାକୁ ଭାରତରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ତେବେ ରିଜର୍ଭ ବ୍ୟାଙ୍କ/ସରକାରଙ୍କ ନିୟମ ମୁତାବକ ଏହି ନୋଟ ବଦଳ ଏବଂ ଜମା ହେବ। ଏଥିପାଇଁ ବୈଧ କାଗଜପତ୍ର ଦାଖଲ ସହିତ ଉପଯୁକ୍ତ ପକ୍ରିୟା ଅନୁସରଣ କରାଯିବ।
ଏଥିସହିତ ଅଦାଲତ, ତଦନ୍ତକାରୀ ସଂସ୍ଥା, କିମ୍ବା ତଦନ୍ତ ସହ ଜଡ଼ିତ କୌଣସି ସରକାରୀ କର୍ତ୍ତୃପକ୍ଷ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟରେ ୨୦୦୦ ଟଙ୍କିଆ ନୋଟ ଜମା କିମ୍ବା ବଦଳ କରିପାରିବେ। ସେମାନଙ୍କ ପାଇଁ ଜମା ଏବଂ ବଦଳରେ କୌଣସି ସୀମା ନାହିଁ। ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ବା ବୈଧ ମୁଦ୍ରା ଭାବେ ପରିଗଣିତ ହେବ। ଯେଉଁ ୧୯ଟି ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଜମା ଏବଂ ବଦଳ କରିହେବ ସେଗୁଡ଼ିକ ହେଲା ଅହମଦାବାଦ, ବାଙ୍ଗାଲୋର, ବେଲପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡୀଗଡ଼, ଚେନ୍ନାଇ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଏବଂ ତିରୁଅନନ୍ତପୁରମ।