କ୍ରୀଡା

ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କଲା ଭାରତ, ୧୪୭ ବର୍ଷରେ ଏପରି କରିବାରେ ପ୍ରଥମ ଟିମ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚ୍ର ତୃତୀୟ ଦିନରେ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ଟିମ୍ ଯାହା କରି ନାହିଁ, ତାହା କରି ଦେଖାଇଛି । ଉଲ୍ଲେଖଯୋଗ୍ୟ ଯେ ତୃତୀୟ ଦିନ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ୍ କରି ଅଲଆଉଟ୍ ହୋଇଥିଲା ।

ଦ୍ୱିତୀୟ ଇନିଂସରେ ରୋହିତ୍ ଏବଂ ଜୈସ୍ୱାଲ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ ପାର୍ଟନରଶିପ୍ ହୋଇଥିଲା । ଜୈସ୍ୱାଲ ୩୫ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ରୋହିତ୍ ଶର୍ମା ଅର୍ଦ୍ଧଶତକ କରି ଆଉଟ୍ ହୋଇ ଫେରିଥିଲେ । ଅନ୍ୟପଟେ ଦିନର ଶେଷ ସେସନ୍ରେ ଭାରତ ନିଜ ନାଁରେ ବଡ଼ ରେକର୍ଡ କରିଛି ।

ଭାରତ ଟେଷ୍ଟ କ୍ରିକେଟ୍ ଇତିହାସରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦ ଛକା ମାରିବାରେ ପ୍ରଥମ ଟିମ୍ ହୋଇଛି । ଭାରତ ପୂର୍ବରୁ ଅନ୍ୟ କୌଣସି ଦଳ ଏହି କାରନାମା କରି ନାହିଁ । ଭାରତ ଚଳିତ ବର୍ଷ ଏବେ ସୁଦ୍ଧା ଦକ୍ଷିଣ ଆଫ୍ରିକା ସହ ଦୁଇ, ଇଂଲଣ୍ଡ ବିପକ୍ଷରେ ୫ ଏବଂ ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ୍ର ସିରିଜ୍ ଖେଳିଛି ।

ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ଏହି ସିରିଜ ପରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ । ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚ୍ ଚଳିତ ବର୍ଷ ଶେଷରେ ଖେଳାଯିବ । ତେଣୁ ଏହି ସଂଖ୍ୟା ବଢାଇବାରେ ଭାରତ ପାଇଁ ସୁଯୋଗ ରହିଛି । ଭାରତ ପାଇଁ ଚଳିତ କ୍ୟାଲେଣ୍ଡର ବର୍ଷର ୧୦୦ତମ ଛକା ବିରାଟଙ୍କ ବ୍ୟାଟରୁ ବାହାରିଥିଲା । ବିରାଟ ଇନିଂସର ୩୦ତମ ଓଭରର ପ୍ରଥମ ବଲରେ ଏଜାଜ ପଟେଲଙ୍କ ବଲରେ ଛକା ମାରିଥିଲେ । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାଁରେ ରହିଥିଲା । ୨୦୨୨ ମସିହାରେ ଇଂଲଣ୍ଡ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୮୯ ଛକା ମାରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button