ଦେଶ ବିଦେଶ

ଚୀନ୍ ନାଗରିକଙ୍କ ସହ ଯୌନ ସମ୍ପର୍କ ଉପରେ କଟକଣା ଲଗାଇଲେ ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରଠାରୁ ଗୋଟିଏ ପରେ ଗୋଟିଏ ନୂଆ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି, ଯେଉଁଥିରେ ଆମେରିକାର ସରକାରୀ କର୍ମଚାରୀମାନେ ଚୀନ୍ ସରକାରୀ କର୍ମଚାରୀ କିମ୍ବା ଚୀନ୍ ନାଗରିକଙ୍କ ସହ ରୋମାନ୍ସ କରିବା ଏବଂ ଯୌନ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଟ୍ରମ୍ପ ପ୍ରଶାସନ ମଧ୍ୟ ଆମେରିକାର ଏହି ନୂଆ ନୀତିକୁ ଆନୁଷ୍ଠାନିକ ଭାବେ ଜାରି କରିଛି। ସୁରକ୍ଷା ମଞ୍ଜୁରୀ ପାଇଥିବା ଆମେରିକୀୟ କୂଟନୀତିଜ୍ଞ, ସେମାନଙ୍କ ପରିବାର ସଦସ୍ୟ ଓ ସରକାରୀ ଠିକାଦାରଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ସୂଚନାଯୋଗ୍ୟ, ଚୀନ୍ ସରକାରଙ୍କ ଦ୍ବାରା ପ୍ରତ୍ୟର୍ପିତ ହେବା ପୂର୍ବରୁ ଜାନୁଆରି ମାସରେ ଚୀନ୍‌ରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ ବର୍ନସ୍ ଏହି ନିୟମକୁ କାର୍ଯ୍ୟକାରୀ କରିଥିଲେ, ଯାହାକୁ ଏବେ ଟ୍ରମ୍ପ ପ୍ରଶାସନ ଆମେରିକାର ନୀତି ଭାବେ ନିଶ୍ଚିତ କରିଛି।

ରିପୋର୍ଟ ଅନୁଯାୟୀ, ଏହି ନୀତିରେ ଆମେରିକାର ସୈନିକ ଓ ସରକାରୀ କର୍ମଚାରୀମାନେ ଚୀନ୍‌ରେ ଆମେରିକାର କୌଣସି ମିସନରେ କାର୍ଯ୍ୟ କରୁଥିବା ଚୀନ୍ ନାଗରିକଙ୍କ ସହ ରୋମାଣ୍ଟିକ୍ କିମ୍ବା ଯୌନ ସମ୍ପର୍କ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଜିଂରେ ଆମେରିକାର ଦୂତାବାସ ଥିବା ବେଳେ ଗୁଆଙ୍ଗଝୁ, ସାଂଘାଇ, ଶେନୟାଙ୍ଗ, ଉହାନ ଓ ହଂକଂରେ ଏହାର ବାଣିଜ୍ୟ ଦୂତାବାସ ରହିଛି। ଏସବୁରେ ନିୟୋଜିତ ଆମେରିକୀୟ କର୍ମଚାରୀମାନେ ଏହି ନିଷେଧାଦେଶ ପରିସରଭୁକ୍ତ ହେବେ। ସମ୍ବେଦନଶୀଳ ସୂଚନା ପାଉଥିବା ଏହି କର୍ମଚାରୀଙ୍କ ପରିବାର ସଦସ୍ୟ ଓ ସରକାରୀ ଠିକାଦାରଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ। ତେବେ ଚୀନ୍ ବାହାରେ ମୁତୟନ ଥିବା ଆମେରିକୀୟ ସୈନିକ ଓ କର୍ମଚାରୀଙ୍କ ପାଇଁ ଏହି ନୂଆ ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଯେଉଁମାନେ ସମ୍ପର୍କ ରଖିଛନ୍ତି, ତାଙ୍କୁ ସମ୍ପର୍କ ଶେଷ କରିବା କିମ୍ବା ପଦ ଛାଡିବା ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ।

ଆମେରିକା ସରକାରଙ୍କ ଏହି ନୀତି ଆମକୁ ରୁଷ୍ ସହ ‘ଶୀତଳ ଯୁଦ୍ଧ’ର ଯୁଗକୁ ମନେ ପକାଇଦେଇଛି। କେତେକ ବିଶେଷଜ୍ଞଙ୍କ ମତରେ ସୋଭିଏତ ନିୟନ୍ତ୍ରିତ ଅଞ୍ଚଳ ଓ ଚୀନ୍‌ରେ ମୁତୟନ ହୋଇଥିବା ଆମେରିକୀୟ ସୈନ୍ୟଙ୍କ ଉପରେ ସମାନ ପ୍ରତିବନ୍ଧକ ଲଗାଯାଇଥିଲା। ସେହି ସମୟରେ ଏଭଳି କଠୋର ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ଥିଲା ଆମେରିକୀୟ କୂଟନୀତିଜ୍ଞ ଓ ସୈନିକମାନଙ୍କୁ କୌଣସି ପ୍ରକାର ହନି ଟ୍ରାପ୍ ଜାଲରୁ ରକ୍ଷା କରିବା। ଯଦିଓ ୧୯୯୧ ମସିହାରେ ସୋଭିଏତ ୟୁନିୟନ ବିଭିନ୍ନ ଦେଶରେ ବିଭାଜିତ ହେବା ପରେ ଏହି ନୀତିକୁ କୋହଳ କରାଯାଇଥିଲା, ତଥାପି ୱାସିଂଟନ ଏହି ନୀତିକୁ ପୁନଃ ପ୍ରଣୟନ କରିବା ସୂଚାଉଛି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ପାଇଁ ଚୀନ୍ ଅଧିକାରୀମାନେ ଏଭଳି କାର୍ଯ୍ୟକଳାପ କରୁଥିବା ଅଭିଯୋଗକୁ ଆମେରିକା ସତ ବୋଲି ଗ୍ରହଣ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button