ପାଣି ପାଇଁ ବିକଳ ହେଲାଣି ପାକିସ୍ତାନ: ପୁଣି ଆଲୋଚନା ପାଇଁ କଲା ଅନୁରୋଧ

ପହଲଗାମ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି । ସିନ୍ଧୁ ଜଳ ଛାଡ଼ିବା ପ୍ରକ୍ରିୟାକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏହାକୁ ନେଇ ପାକିସ୍ତାନ ଗଭୀର ଚିନ୍ତା ପ୍ରକଟ କରିଛି । ଭାରତର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଭାରତକୁ ପାକିସ୍ତାନ ଅନୁରୋଧ କରିଛି । ଏଥିପାଇଁ ଭାରତକୁ ୪ଟି ଚିଠି ମଧ୍ୟ ପଠାଇଛି । ଅପରେସନ୍ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ ପାକିସ୍ତାନ ଭାରତକୁ ପ୍ରଥମ ଚିଠି ପଠାଇଥିଲା । ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇଛି। ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ଭାରତକୁ ପାକିସ୍ତାନ ବାରମ୍ବାର ଅନୁରୋଧ କରୁଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବାଣିଜ୍ୟ ଓ ଆତଙ୍କବାଦ, ଜଳ ଓ ରକ୍ତ, ଗୁଳି ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବନି । ଏହାପରେ ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେଲା ।
ଭାରତର ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ ପାକିସ୍ତାନର ଜଳ ମନ୍ତ୍ରଣାଳୟ ସଚିବ ସୟଦ ଅଲି ମୁର୍ତାଜାଙ୍କୁ ଏକ ଚିଠି ଲେଖି ଦର୍ଶାଇଥିଲେ ଯେ ଭାରତ ଲଗାତାର ଭାବେ ପାକିସ୍ତାନର ସୀମାପାର ଆତଙ୍କବାଦର ଶିକାର ହୋଇଛି । ଭାରତ ସିନ୍ଧୁ ଜଳ ଚୁକ୍ତିରେ ଏହାର ଅଂଶଗ୍ରହଣକୁ ରଦ୍ଦ କରୁଥିବା ଏହି ଚିଠିରେ ଦର୍ଶାଯାଇଥିଲା । ପାକିସ୍ତାନ ପାରସ୍ପରିକ ବିଶ୍ବାସ ଏବଂ ସହଯୋଗକୁ ନଷ୍ଟ କରିଦେଇଛି ବୋଲି ଭାରତ କହିଥିଲା । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ଦ୍ବାରା ପାକିସ୍ତାନର ରବି ଫସଲ ଅତି ସାଂଘାତିକ ଭାବେ ପ୍ରଭାବିତ ହେବ । କେବଳ କୃଷି ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ପ୍ରଭାବ ରହିବ । ଏଥିପାଇଁ ପାକିସ୍ତାନରେ ଅତ୍ୟନ୍ତ ଉତ୍କଟ ଜଳ ସଙ୍କଟ ମଧ୍ୟ ଦେଖାଦେଇପାରେ । ଏହି ମାମଲାରେ ମଧ୍ୟସ୍ଥତା କରିବାପାଇଁ ପାକିସ୍ତାନ ପୂର୍ବରୁ ବିଶ୍ବ ବ୍ୟାଙ୍କ୍କୁ ଅନୁରୋଧ କରିଥିବା ବେଳେ ବିଶ୍ବ ବ୍ୟାଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ।