ନାଟକ କହିଲା ଉତ୍କଳ ଗୌରବଙ୍କ କାହାଣୀ: ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ…! – Utkal Mail
‘ସାଂପ୍ରତିକ ପରିସ୍ଥିତିରେ ଏହି ନାଟକ ମଞ୍ଚସ୍ଥ ହେବା କାଳ ନିର୍ଦ୍ଦିଷ୍ଟ ଥିଲା’
ଭୁବନେଶ୍ୱର: ଦେହରେ କଳା କୋର୍ଟ ଓ ମୁଣ୍ଡରେ ପଗଡ଼ି। ମଞ୍ଚରେ ନିଜ ଜୀବନ କାହାଣୀ କହୁଥାନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ତା’ ଭିତରେ ଆସିଲା ପିଲାଦିନ, ପାଠପଢ଼ା, କଲିକତାରେ ବିବାହ, ଧର୍ମ ପରିବର୍ତ୍ତନ, ବାପାଙ୍କ ଦ୍ବାରା ତେଜ୍ୟପୁତ୍ର ହେବା ଘଟଣା, ପତ୍ନୀଙ୍କ ବିୟୋଗ ଠାରୁ ଆରମ୍ଭ କରି ଓଡ଼ିଶା ଫେରିବା ସବୁ ଗୋଟେ ପରେ ଗୋଟି କଥା। ଏହାପରେ ଓଡ଼ିଶା ଫେରି ଓକିଲାତି କରିବା ସହ ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ ଭଳି ସଙ୍ଗଠନ ଗଢ଼ି ଓଡ଼ିଆ ଭାଷାର ସୁରକ୍ଷା ଏବଂ ଓଡ଼ିଆଙ୍କର ସ୍ବାର୍ଥ ରକ୍ଷା କରିବାର ଉଦ୍ୟମ, ଉତ୍କଳ ଟ୍ୟାନେରି ଗଠନ, ଶ୍ରୀଜଗନ୍ନାଥଙ୍କ ମାନ ରକ୍ଷା ପାଇଁ ଇଂରେଜଙ୍କ ସହ ଆଇନ ଲଢ଼େଇ ଓ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପ୍ରମୁଖ ଘଟଣାବଳୀକୁ ଆଧାର କରି ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ‘ହୃଦୟ’ ଅନୁଷ୍ଠାନ ଦ୍ବାରା ମଞ୍ଚସ୍ଥ ହୋଇଥିଲା ନାଟକ ‘ମଧୁବାବୁ’। ଏଭଳି ବିରାଟ ବ୍ୟକ୍ତିତ୍ବ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ଲମ୍ବା କାଳଖଣ୍ଡର କାହାଣୀକୁ ଏକକ ଅଭିନୟ ଭିତରେ କହିବାର ପ୍ରୟାସ ଏ ନାଟକର ସବୁଠାରୁ ଚମତ୍କାର ଦିଗ। ଓଡ଼ିଆରେ ଏଭଳି ନାଟକ କ୍ବଚିତ୍ ଦେଖିବାକୁ ମିଳେ ବୋଲି ଆଜି ଅନେକ ଦର୍ଶକ ଏକମତ ହୋଇଥିଲେ। ଏ ନାଟକର ଆଉ ଏକ ବିଶେଷତ୍ବ ହେଉଛି, ଏ ନାଟକର ରଚୟିତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତା ହେଉଛନ୍ତି ଜଣେ, ଅଧ୍ୟାପକ ରମାକାନ୍ତ ମିଶ୍ର।
ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ଏହି ନାଟକକୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଯୋଗଦେଇ କହିଲେ, ଓଡ଼ିଆ ସ୍ବାଭିମାନର ପ୍ରତୀକ ମଧୁବାବୁଙ୍କୁ ଏ ଜାତି ଯେତିକି ମନେ ପକାଇବା କଥା, ଯେମିତି ସମ୍ମାନ ଦେବା କଥା, ତାହା କରିନାହିଁ। ଅନ୍ୟତମ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତ, ସାହିତ୍ୟିକ ଦାଶ ବେନହୁର, ଶୈଳଜ ରବି, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନ ସଂପ୍ରଦାୟିକ ପରିସ୍ଥିତିରେ ଏହି ନାଟକ ମଞ୍ଚସ୍ଥ ହେବା କାଳ ନିର୍ଦ୍ଦିଷ୍ଟ ଥିଲା ବୋଲି ମତ ଦେଇଥିଲେ। ଓଡ଼ିଆମାନେ ମଧୁବାବୁଙ୍କୁ ସ୍ମରଣ କରି ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ତୋଷାମଦିଆ ନହୋଇ ସ୍ବାଭିମାନୀ ହୁଅନ୍ତୁ। ଭୀରୁ ନହୋଇ ବୀରତ୍ବର ପରିଚୟ ଦିଅନ୍ତୁ ବୋଲି ଆହ୍ବାନ ଦେଇଥିଲେ। ସାହିତ୍ୟିକା ସ୍ନେହଲତା ପୃଷ୍ଟି ସଭା ପରିଚାଳନା କରିଥିଲେ।
ଏ ନାଟକ ଦେଖି ଫେରିବାବେଳେ ପ୍ରତିଟି ଦର୍ଶକଙ୍କ ମନ ଭିତରେ ପ୍ରତିଧ୍ବନିତ୍ବ ହେଉଥିଲା, ଅଭିନେତା ରମାକାନ୍ତଙ୍କ ଚମତ୍କାର ସ୍ବରରେ ମଧୁବାବୁଙ୍କର ଅମର ଧାଡ଼ିସବୁ- ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ… ତୋହରି ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ…, ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ… ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ମନ…, ତୋହର ଜନନୀ ବୀର ପ୍ରସବିନୀ ଧୂଳିରେ ପଡ଼ିଛି ଦେଖ… ଜନ ସମାଜରେ ଏ ମହି ମଧ୍ୟରେ କିପରି ଦେଖାଉ ମୁଖ…! ଅନ୍ତତଃ ଆଜି ଗୋଟିଏ ରାତି ପାଇଁ ଏ ଅଭିନୟ, ଏ ସ୍ବର ଓ ଏ ଧାଡ଼ିସବୁର ପ୍ରଭାବରୁ ନାଟକ ଦେଖିଥିବା କ୍ବଚିତ୍ ଓଡ଼ିଆପ୍ରାଣ ଦର୍ଶକ ମୁକୁଳି ପାରିବେ।