ନକ୍ସଲଙ୍କୁ ପାଣ୍ଠି ଯୋଗାଣର ନେଟୱାର୍କକୁ ଭାଙ୍ଗିଦିଆଯାଉଛି: କେନ୍ଦ୍ର ଗୃହ ମନ୍ତ୍ରାଳୟ – Utkal Mail
ସିଏପିଏଫର ୪୪ ଟି ନୂତନ ଶିବିର ସ୍ଥାପନ କରାଯିବ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କ ସହ ବାମପନ୍ଥୀ ଉଗ୍ରବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, କେନ୍ଦ୍ର ଗୃହ ସଚିବ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ମହାନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସଚିବ, ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ)ର ୧୯୫ଟି ନୂତନ ଶିବିର ସ୍ଥାପନ କରାଯାଇଥିବାବେଳେ ୪୪ ଟି ନୂତନ ଶିବିର ସ୍ଥାପନ କରାଯିବ । ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ୨୦୧୪ ରୁ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ଆମର ଶୂନ୍ୟ ସହନଶୀଳତା ନୀତି ଯୋଗୁଁ ଗତ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ହିଂସା ଓ ମୃତ୍ୟୁ ୨୦୨୨ରେ ରେକର୍ଡ କରାଯାଇଛି। ୨୦୦୫ରୁ ୨୦୧୪ ତୁଳନାରେ ୨୦୧୪ରୁ ୨୦୨୩ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସମ୍ବନ୍ଧୀୟ ହିଂସାରେ ୫୨ ପ୍ରତିଶତ ହ୍ରାସ ପରଲକ୍ଷିତ ହୋଇଛି ।
ସେହିପରି ମୃତ୍ୟୁ ମାମଲା ୬୯ ପ୍ରତିଶତ, ସୁରକ୍ଷା ବାହିନୀଙ୍କ ମୃତ୍ୟୁ ୭୨ ପ୍ରତିଶତ ଏବଂ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୬୮ ପ୍ରତିଶତ ହ୍ରାସ ଘଟିଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦକୁ ପାଣ୍ଠି ଯୋଗାଣ ଉପରେ ରୋକ ଲଗାଇବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମସ୍ତ ରାଜ୍ୟ ଏଜେନ୍ସି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦର ପାଣ୍ଠି ଯୋଗାଣର ନେଟୱର୍କକୁ ଭାଙ୍ଗିବା ପାଇଁ ସମସ୍ତ ପ୍ରଭାବିତ ରାଜ୍ୟ ନାଗରିକ ଏବଂ ପୁଲିସ ପ୍ରଶାସନର ମିଳିତ ଟିମ୍ ଗଠନ କରି ପ୍ରୟାସ କରିବା ଆବଶ୍ୟକ । ମୋଦୀ ସରକାର ୨୦୧୭ରେ ବାମପନ୍ଥୀ ଉଗ୍ରବାଦ ପୀଡ଼ିତଙ୍କ ପାଇଁ ଅନୁକମ୍ପା ରାଶି ୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ, ଯାହାକୁ ଏବେ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ସଡ଼କ ନିର୍ମାଣ, ଟେଲିକମ୍, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଓ ଶିକ୍ଷା ଭଳି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଶାହା କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୋଦୀ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ଅଧୀନରେ ୧୪୦ରୁ ଅଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮୦% ରୁ ଅଧିକ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ଯୋଜନା ଅଧୀନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକୁ ୩୨୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟଗୁଡ଼ିକର ସୁରକ୍ଷିତ ଥାନା ନିର୍ମାଣ, ରାଜ୍ୟ ଗୁଇନ୍ଦା ଶାଖା ଓ ସ୍ୱତନ୍ତ୍ର ବାହିନୀକୁ ସୁଦୃଢ଼ କରିବା ପାଇଁ ୯୯୨ କୋଟି ଟଙ୍କାର ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା (ଏସଆଇଏସ୍) ପ୍ରକଳ୍ପ ମଞ୍ଜୁର କରାଯାଇଛି। ମୋଦୀ ସରକାର ପୂର୍ବ ତୁଳନାରେ ୯ ବର୍ଷରେ ପ୍ରାୟ ଦୁଇ ଥର ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (ଏସଆରଇ) ବୃଦ୍ଧି କରିବାକୁ ପଦକ୍ଷେପ ନେଇଥିବା ସେ କହିଛନ୍ତି।