ଅବପାତରେ ପରିଣତ ହେଲା ଲଘୁଚାପ, ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି।
ଏହା ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।
ଅବପାତଟି ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୭୯ କିଲୋମିଟର ଦୂରରେ ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ।
ଦାନା’ ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଜିଲା ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ସବୁ ଜିଲାରେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
କେତେକ ସ୍ଥାନରେ ୨୦ ମିଲିମିଟରରୁ ମଧ୍ୟ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏହି ଜିଲାଗୁଡ଼ିକରେ କଚ୍ଚାଘର, ଗଛ ଭାଙ୍ଗିବା ସହ କେତେକ ସ୍ଥାନରେ ବର୍ଷା ଯୋଗୁ ଜଳବନ୍ଦୀ ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଆସନ୍ତା ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର ଏବଂ କଟକ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ଓ୍ବାର୍ନିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, କଟକ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।