ଷ୍ଟକ ବଜାରରେ ଉତ୍ସାହ, ପ୍ରଥମ ଥର ପାଇଁ ୬୯୦୦୦ ଉପରେ ବନ୍ଦ ହେଲା ସେନସେକ୍ସ – Utkal Mail
ମୁମ୍ବାଇ: ଗତ ରବିବାର ଘୋଷଣା ହୋଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ପରେ ଗତ ୨ ଦିନ ହେଲା ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବି ବିଜେପିର ବିଜୟ ସମ୍ଭାବନା ମଧ୍ୟରେ ନିବେଶକମାନେ ଉତ୍ସାହିତ ହୋଇଯାଇଛନ୍ତି ।
ନିବେଶକଙ୍କ ପ୍ରବଳ କ୍ରୟ, ବିଶେଷ କରି ବ୍ୟାଙ୍କିଙ୍ଗ୍ ଓ ଏନର୍ଜି ଷ୍ଟକ୍ ଯୋଗୁଁ ମଙ୍ଗଳବାର ଭାରତୀୟ ବଜାରର ଉଭୟ ପ୍ରମୁଖ ସୂଚକାଙ୍କ-ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚସ୍ତରରେ ବନ୍ଦ ହୋଇଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୬୯,୦୦୦ ଟପିବାରେ ସଫଳ ହୋଇଛି। ଆଜି ବଜାର ବନ୍ଦ ହେବା ବେଳକୁ ବିଏସ୍ଇ ସେନ୍ସେକ୍ସ ୪୩୧ ପଏଣ୍ଟ ବୃଦ୍ଧି ପାଇ ୬୯,୨୯୬ ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୬୮ ପଏଣ୍ଟ ବୃଦ୍ଧି ପାଇ ୨୦,୮୫୫ ପଏଣ୍ଟରେ ବନ୍ଦ ହୋଇଛି।
ଆଜିର କାରବାରରେ ସବୁଠାରୁ ବଡ଼ ବୃଦ୍ଧି ଏନର୍ଜି ଷ୍ଟକରେ ଦେଖିବାକୁ ମିଳିଛି। ନିଫ୍ଟି ଏନର୍ଜି ୯୮୧ ପଏଣ୍ଟ ବା ୩.୨୪ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି। ଏହାବ୍ୟତୀତ ବ୍ୟାଙ୍କ ନିଫ୍ଟି ଐତିହାସିକ ସର୍ବୋଚ୍ଚ ସ୍ତରରେ ୪୭,୦୦୦ ଉପରେ ବନ୍ଦ ହୋଇଛି। ଏହାବ୍ୟତୀତ ଅଟୋ, ମେଟାଲ, ତୈଳ ଓ ଗ୍ୟାସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ ସେକ୍ଟରର ସେୟାର ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ଷ୍ଟକ ବଜାରରେ ଏହି ଉତ୍ସାହ ଆଗାମୀ କିଛି ଦିନ ବି ଜାରି ରହିବାର ସମ୍ଭାବନା ରହିଛି ।